ବର୍ଷକ ମଧ୍ୟରେ ଆଉ ୧୦୦ ମଡେଲ ସ୍କୁଲ

0

ଭୁବନେଶ୍ୱର, ୧୯।୧: ଆସନ୍ତା ଏକବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ୍ ସ୍କୁଲ ଭାବେ ବିକଶିତ କରାଯିବ ବୋଲି ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗଚୀ କହିଛନ୍ତି। ଆଜି ମୋ ସ୍କୁଲ ଅଭିଯାନର ସପ୍ତମ ପରିଚାଳନା ପରିଷଦ ବୈଠକ ପରେ ସୂଚନା ଦେଇ ଶ୍ରୀମତୀ ବାଗଚୀ କହିଛନ୍ତି, ପ୍ରତି ଜିଲ୍ଲାରୁ ଅତିକମ୍‌ରେ ୩ଟି ଲେଖାଏ ସ୍କୁଲକୁ ଚିହ୍ନଟ କରାଯିବ। ସେଗୁଡ଼ିକୁ ମଡେଲ ସ୍କୁଲ ଭାବେ ବିକଶିତ କରାଯିବ। ସେହିପରି ଚଳିତବର୍ଷଠୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ପୋଷ୍ୟ ଛାତ୍ର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ। ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଓ ଇଚ୍ଛୁକ ବ୍ୟକ୍ତିମାନେ ୧୦୦ଟି ସ୍କୁଲର ଏକ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କର ପାଠପଢ଼ାର ସମସ୍ତ ବିଷୟ ବୁଝିବେ। ଏହି ପୋଷ୍ୟ କାର୍ଯ୍ୟକ୍ରମ ପାଇଁ ଅଧିକ ପ୍ରୋତ୍ସାହିତ କରାଯିବ।

ସେହିପରି ଆସନ୍ତା ଶିକ୍ଷାବର୍ଷଠୁ ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଚିହ୍ନଟ କରି ମୋ ସ୍କୁଲ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯିବ। ଖୁବଶୀଘ୍ର ବୈଷୟିକ ବିଜ୍ଞାନ ସହଯୋଗରେ ରାଜ୍ୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ସମାବେଶର ଆୟୋଜନ କରାଯିବ। ମେଣ୍ଟର କନେକ୍ଟ କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୦୦ଟି ସ୍କୁଲକୁ ମନୋନୀତ କରାଯାଇ ୧୦୦ଜଣ ମେଣ୍ଟରଙ୍କୁ ଚୟନ କରାଯାଇଥିବାବେଳେ ‘ଷ୍ଟୁଡେଣ୍ଟସ୍ ମେଣ୍ଟରିଂ’ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୩୦ଟି ଜିଲ୍ଲାର ୮୮୭୭ଟି ସ୍କୁଲର ମୋଟ ୫୭,୪୯,୨୮,୩୮୩ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିପାଇଁ ପୁରାତନ ଛାତ୍ରଛାତ୍ରୀମାନେ ୧୯.୧୬କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ୩୮.୩୨କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତ ଏକବର୍ଷ ମଧ୍ୟରେ ମୋ ସ୍କୁଲ ଅଭିଯାନ ପ୍ରାୟ ୧.୮୨ଲକ୍ଷ ପୁରାତନ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚି ପାରିଛି।

Leave A Reply

Your email address will not be published.