ରାଉଲକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍

ଭୁବନେଶ୍ୱର, ୧୯।୧: ରାଉରକେଲାରେ ନିର୍ମିତ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍। ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ୨୦୨୨ ମଧ୍ୟ ଭାଗ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ସଚିବ ଆର୍.ଭିନିଲ୍ କ୍ରିଷ୍ଣା ଓ ପୂର୍ତ୍ତ ସଚିବ କ୍ରିଷନ୍ କୁମାର ଆଜି ରାଉରକେଲା ଯାଇ ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ସ୍ଥାନ ପରିଦର୍ଶନ କରିଛନ୍ତି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହାର ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରାଯିବ ପ୍ରସ୍ତାବିତ ଷ୍ଟାଡିୟମ୍‌ର ଡିଜାଇନ୍ ବିଶ୍ୱସ୍ତରୀୟ ହେବ। ବିଶ୍ୱର ଅତ୍ୟାଧୁନିକ ଏବଂ ସମନ୍ୱିତ ହକି ଷ୍ଟାଡିୟମ୍ ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ମୁଖ୍ୟ ପିଚ୍ ସହ ଫ୍ଲଡ୍ ଲାଇଟ୍, ଅଭ୍ୟାସ ପିଚ୍, ଜିମ୍ ହାଇଡ୍ରୋ ଥେରାପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହିତ ପାର୍କିଂ ଓ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ ।

ସୂଚନାଯୋଗ୍ୟ, ରାଉରକେଲାରେ ଏକ ଆନ୍ତର୍ଜାତୀୟମାନର ହକି ଷ୍ଟାଡିୟମ୍ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ଘୋଷଣା କରିଥିଲେ। ଏହି ନୂଆ ଷ୍ଟାଡିୟମ୍ ଜାନୁଆରି ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ର ଅନ୍ୟତମ ଆୟୋଜନସ୍ଥଳ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ଦେଶର ସର୍ବ ବୃହତ୍ତ ହକି ଷ୍ଟାଡିୟମ୍ ହେବ ଓ ଏଥିରେ ଏକାସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ ।

Comments are closed.