ପ୍ରଥମ ଓଡ଼ିଆ ଭାବେ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଦେଶର ସେନା ଉପମୁଖ୍ୟ

ନୂଆଦିଲ୍ଲୀ, ୧୮।୧: ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଜାତୀୟସ୍ତରରେ ମିଳିଛି ବଡ଼ ପଦବୀ। ପ୍ରଥମ ଓଡ଼ିଆ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ। ଜାନୁଆରୀ ୩୧ରେ ବର୍ତ୍ତମାନ ସେନା ବାହିନୀର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏସକେ ସାଇନି ଅବସର ଗ୍ରହଣ କରିବେ। ଏହାପରେ ଜେନେରାଲ ମହାନ୍ତି ଏହି ପଦବୀର ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ଏବେ ସେ ଦକ୍ଷିଣ-ପୂର୍ବ କମାଣ୍ଡରେ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ରିପୋର୍ଟ ଅନୁସାରେ, ଜେନେରାଲ ମହାନ୍ତି ଦେଶର ୪୨ତମ ସେନା ଉପ ମୁଖ୍ୟ ହେବେ। ସେହିପରି ପ୍ରଥମ ଓଡ଼ିଆ ଅଫିସର ଭାବେ ସେ ଏହି ପଦବୀରେ ନିଯୁକ୍ତି ପାଇବେ। ଜେନେରାଲ ମହାନ୍ତିଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲା ଜୟବଡ ଗାଁରେ। ଏହି ନୂଆ ନିଯୁକ୍ତି ସମ୍ପର୍କରେ ଖବର ମିଳିବା ପରେ କେବଳ ତାଙ୍କ ଗାଁରେ ନୁହେଁ ସମଗ୍ର ଓଡ଼ିଶାରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

ପାକିସ୍ତାନ ଓ ଚାଇନା ସୀମାରେ ହୋଇଥିବା ଏକାଧିକ ଅପରେସନରେ ଜେନେରାଲ ମହାନ୍ତଙ୍କ ଅଭିଜ୍ଞତା ରହିଛି। ଆସାମରେ ବିଦ୍ରୋହୀଙ୍କୁ ଦମନ କରିବା ପାଇଁ ହୋଇଥିବା ଅପରେସନରେ ମଧ୍ୟ ସେ ସାମିଲ ହୋଇଥିଲେ। ସେ ଗୋଟିଏ ମଲ୍ଟିନ୍ୟାଶନାଲ ୟୁଏନ ବ୍ରିଗେଡର ନେତୃତ୍ୱ କଙ୍ଗୋରେ ନେଇଥିଲେ।

Comments are closed.