୧୨ ରାଜ୍ୟରୁ ଆସିଲେ ସପ୍ତାହେ ଘରେ ସଙ୍ଗରୋଧ ବାଧ୍ୟତାମୂଳକ

0

ଭୁବନେଶ୍ବର, ୨୬।୨: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଶର ୧୨ଟି ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏକ ସପ୍ତାହର ହୋମ୍ ଆଇସୋଲେସନରେ ରହିବାକୁ ବାଧ୍ୟ ବୋଲି ରାଜ୍ୟ ସରକାର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ସହିତ କେତେକ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସୀମାକୁ ଲାଗିଥିବା ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ବି ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ, ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି ତତ୍କାଳ ପ୍ରଭାବରୁ ବିମାନ ବନ୍ଦର ଓ ରେଳ ଷ୍ଟେସନଗୁଡ଼ିକରେ ଏଭଳି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମହାପାତ୍ର ଆଜି ଲେଖିଥିବା ଚିଠିକୁ ‘ଅତ୍ୟନ୍ତ ଜରୁରୀ’ ବୋଲି ଦର୍ଶାଇ କହିଛନ୍ତି ଯେ, କୋଭିଡ୍ ସଂକ୍ରମଣ ମାମଲା ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ବୃଦ୍ଧି ପାଉଥିବାରୁ ଓଡ଼ିଶାରେ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ବିଶେଷକରି ୧୨ଟି ରାଜ୍ୟ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଚଣ୍ଡିଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ସମସ୍ତ ବ୍ୟକ୍ତିମାନଙ୍କୁ ବିମାନ ବନ୍ଦର ଓ ରେଳଷ୍ଟେସନରେ ଅବତରଣ କରିବାବେଳେ ପ୍ରୋଟୋକଲ ଅନୁସାରେ ସ୍କ୍ରିନିଂ କରାଯିବ। ଯେଉଁ ଯାତ୍ରୀମାନଙ୍କର କିଛି ଲକ୍ଷଣ ଦେଖାଯିବ ସେହି ବିମାନବନ୍ଦର କିମ୍ବା ରେଳଷ୍ଟେସନରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯିବ। ସମସ୍ତ ଯାତ୍ରୀ ୭ଦିନ ପାଇଁ ହୋମ୍ ଆଇସୋଲେସନରେ ରହିବା ବାଧ୍ୟତାମୂଳକ ହେବ। ଯଦି ଏହି ଅବଧି ମଧ୍ୟରେ ସେମାନଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖାଦିଏ ତା’ହେଲେ ସେମାନେ ଆରଟି-ପିସିଆର ପରୀକ୍ଷା କରିବେ। କୋଭିଡ୍ ସଂକ୍ରମିତ ଥିବା ଜଣାପଡ଼ିଲେ ସେମାନଙ୍କୁ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଚିକିତ୍ସା କରାଯିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସମସ୍ତ ଜିଲ୍ଲାରେ ଆରଟି-ପିସିଆର ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ। ମିଶନ ମୋଡରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବ।

ଏସବୁ ପାଳନ ଦିଗରେ କୌଣସି ପ୍ରକାରର ଅବହେଳା ରାଜ୍ୟରେ ପୁଣିଥରେ କରୋନା ମହାମାରୀ ସଂକ୍ରମଣକୁ ବୃଦ୍ଧି କରିବ ଓ ବିଗତ ମାସଗୁଡ଼ିକରେ କରାଯାଇଥିବା ସମସ୍ତ ପ୍ରୟାସ ବିଫଳ ହୋଇଯିବ ବୋଲି ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.