ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ

ମଞ୍ଜୁର ହେଲା ‘ଓଡ଼ିଶା ବୈଦ୍ୟୁତିକ ମୋଟର ଯାନ ନୀତି-୨୦୨୧’

ଭୁବନେଶ୍ୱର, ୨୭।୮: ଓଡ଼ିଶାରେ ଅବଧି ଶେଷ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକୁ ରଦ୍ଦ ଓ ବୈଦ୍ୟୁତିକ ମୋଟର ଯାନ କିଣିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ ଆଜି ‘ଓଡ଼ିଶା ବୈଦ୍ୟୁତିକ ମୋଟର ଯାନ ନୀତି-୨୦୨୧’କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଅବା ବ୍ୟାଟେରିଚାଳିତ ମୋଟର ଯାନ ଚଳାଚଳ କରିବାକୁ ଏହି ନୀତିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାସହିତ ରାଜ୍ୟ କ୍ୟାବିନେଟ ଆଜି ମୋଟ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, କ୍ୟାବିନେଟରେ ମୋଟ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ଇଲେକ୍ଟ୍ରିକ ଭେକ୍ୱିଲ ପଲିସି ବା ଓଡ଼ିଶା ବୈଦ୍ୟୁତିକ ମୋଟର ଯାନ ନୀତି-୨୦୨୧କୁ ମଞ୍ଜୁରୀ ମିଳିଛି। ରାଜ୍ୟରେ ୨୦୨୫ ମସିହା ସୁଦ୍ଧା ବୈଦ୍ୟୁତିକ ଯାନ ଚଳପ୍ରଚଳ ସଂଖ୍ୟା ମୋଟର ଯାନର ୨୦ ପ୍ରତିଶତ କରିବା ଲକ୍ଷ୍ୟରେ ଏହି ଗାଡ଼ି ଓ ଏହାର ଯନ୍ତ୍ରାଂଶ, ବ୍ୟାଟେରି ଉତ୍ପାଦନକାରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ତଥା ଏ କ୍ଷେତ୍ରରେ ନବୀକରଣ ଓ ଗବେଷଣାକୁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ଏହି ପ୍ରସ୍ତାବିତ ନୀତି ଆଧାରରେ ଉତ୍ପାଦନକାରୀ କମ୍ପାନି, ଯାନ ବ୍ୟବହାରକାରୀ ଲୋକଙ୍କୁ ଆର୍ଥିକ ରିହାତି ଦେବା ସହ ଗାଡ଼ି ପଞ୍ଜୀକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡ଼ କରିବାର ପ୍ରାବଧାନ ଅଛି। ଏମ୍‌ଏସ୍‌ଏମ୍‌ଇ ବିଭାଗର ‘ଷ୍ଟାର୍ଟଅପ୍‌’ ପଲିସିରେ ଏହି ବୈଦ୍ୟୁତିକ ଯାନ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ହୋଇଛି।

ସେହିପରି ରାଜ୍ୟର ସମସ୍ତ ବ୍ଲକରେ ନିର୍ମାଣ ହେବାକୁ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ବ୍ଲକ ହାତରେ ରହିବ। ପଂଚାୟତରାଜ ବିଭାଗ ଏଣିକି ଏସବୁ ଆଦର୍ଶ ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ ଓ ବିଡିଓମାନେ ଏହାର ମରାମତି କାର୍ଯ୍ୟ କରାଇବେ। ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ଏବେ ପ୍ରାୟ ୧୮୫ଟି ବ୍ଲକରେ ଆଦର୍ଶ ସ୍କୁଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି।

ସେହିପରି ରାଜ୍ୟରେ ନଦୀ ବାଲିର ସୁବିନିଯୋଗ ଓ ସୁପରିଚାଳନା ନିମନ୍ତେ ‘ଓଡ଼ିଶା ବାଲି ନୀତି-୨୦୨୧’କୁ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ କ୍ୟାବିନେଟ ଆଜି ଏହି ନୀତିକୁ ମଞ୍ଜୁରୀ ଦେଇଛନ୍ତି। ବାଲି ଚାହିଦା ଯୋଗାଣ ଅଟକଳ, ବାଲି ଉତ୍ସ ଚିହ୍ନଟ, ବାଲି ଉତ୍ସର ଡିଜିପିଏସ୍ ସର୍ଭେ, ବାଲିଖନନର ନିଲାମ ଅଧିକାର, ମାଇନିଂ ପ୍ଲାନ ଅନୁମୋଦନ, ପରିବେଶ ମଞ୍ଜୁରୀ ଓ ଅନ୍ୟାନ୍ୟ ବୈଧାନିକ ମଞ୍ଜୁରୀ ଆଦି ଏହି ବାଲି ନୀତିର ମୁଖ୍ୟ ବୈଶିଷ୍ଟ। ଏହାଦ୍ୱାରା ପରିବେଶଜନିତ ନିୟମ ଆଧାରରେ ବାଲି ଉତ୍ତୋଳନ ସୁନିଶ୍ଚିତ ହୋଇପାରିବ। ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଆଧାରରେ ବାଲିଖନନ ଉତ୍ସର ଚିହ୍ନଟଠୁ ଶେଷ ବ୍ୟବହାରକାରୀ ପର୍ଯ୍ୟନ୍ତ ବାଲିଯୋଗାଣର ବ୍ୟବସ୍ଥା ତଥା ବେଆଇନ ବାଲି ଉତ୍ତୋଳନ ରୋକାଯାଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.