୧୯୩୮୦କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ

0

ଭୁବନେଶ୍ବର, ୨୩।୧୧: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୩୮୦କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବା ବେଳେ ରାଜ୍ୟ ସରକାର ନିଜସ୍ୱ କେତେକ ଯୋଜନା ପାଇଁ ବିପୁଳ ପରିମାଣର ଅର୍ଥ ବରାଦ କରି ଭୋଟରଙ୍କୁ ଆକୃଷ୍ଟ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ବିଶେଷ କରି ଜଳସେଚନ, ସଡ଼କ, ପୋଲ, କୃଷି ଉଦ୍ୟୋଗ ଓ ପାନୀୟ ଜଳ ଆଦି କ୍ଷେତ୍ର ଉପରେ ବଜେଟରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଇଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ୧୯୩୮୦ କୋଟି ଟଙ୍କାର ଚିଠା ବଜେଟକୁ ଅନୁମୋଦନ ମିଳିଛି। ଆସନ୍ତା ଡିସେମ୍ବର ୧ ତାରିଖରେ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବାର କାର୍ଯ୍ୟକ୍ରମ ଥିବାରୁ ତା’ପୂର୍ବରୁ ଆଜି ଏହାକୁ ମନ୍ତ୍ରିପରିଷଦ ବୈଠକରେ ଉପସ୍ଥାପନ କରାଯାଇଥିଲା। ଚିଠା ବଜେଟରେ ରାଜ୍ୟ ସରକାର ନିଜସ୍ୱ କେତେକ ନିର୍ଦ୍ଦିଷ୍ଟ ଯୋଜନା ଯଥା- ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ, ବିଜୁ ସେତୁ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ଅଧିକ ବ୍ୟୟବରାଦ ସହ ୩ରୁ ୫ବର୍ଷିଆ ଲକ୍ଷ୍ୟଧାର୍ଯ୍ୟ କରି ଗ୍ରାମାଂଚଳରେ ଭିତ୍ତିଭୂମିକୁ ସୁଧାରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ପାନୀୟ ଜଳ ପ୍ରକଳ୍ପ ପାଇଁ ମଧ୍ୟ ବ୍ୟାପକ ଅର୍ଥ ବନ୍ଦୋବସ୍ତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୦ଲକ୍ଷ କୋଟି ଟଙ୍କାର ମୂଳ ବଜେଟ୍ ଅନୁମୋଦନ ହୋଇଛି। କରୋନା କାଳରେ ବି ରାଜ୍ୟ ସରକାର ବିଗତ ବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷର ମୂଳ ବଜେଟ ଆକାରକୁ ୧୭ ପ୍ରତିଶତ ବୃଦ୍ଧି କରିଥିଲେ।

Leave A Reply

Your email address will not be published.