ନିଲାମ ହେଲା ରାଜ୍ୟର ୨ ଖଣି: ୨,୨୫୦ କୋଟି ପୁଞ୍ଜିନିବେଶ ସମ୍ଭାବନା, ୨୦,୨୮୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ

ଏଥିରେ ରହିଛି ୧,୬୫୨ ନିୟୁତ ଟନ କୋଇଲା

ନୂଆଦିଲ୍ଲୀ, ୭।୩: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି। ଗତ ମାସ ୨୭ ତାରିଖଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି। ଏଥିମଧ୍ୟରୁ ଗୋଟିଏ ସିଏମ୍‌ଏସ୍‌ପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମ୍‌ଏମ୍‌ଡିଆର୍‌ କୋଇଲା ଖଣି।

୫୦୦ ନିୟୁତ ଟନ୍ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ ନିଲାମ ନେଇଛି । ଏହା ବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ୧,୧୫୨.୧୧ ନିୟୁତ ଟନ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ‘ୱେଷ୍ଟ’ ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି।

ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ବେଳେ ବୈତରଣୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍ । ଏହି ଦୁଇଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି । ସେହିପରି ଏହା ଦ୍ବାରା ୨୦ ହଜାର ୨୮୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଅନ୍ୟପଟେ ବାର୍ଷିକ ୨ ହଜାର ୮୭୩ କୋଟି ଟଙ୍କାର ରାଜସ୍ବ ଆୟ ହେବାର ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩ ନଭେମ୍ବର ୨୦୨୨ ଠାରୁ ବାଣିଜ୍ୟିକ ଖନନ ପାଇଁ ଷଷ୍ଠ ପର୍ଯ୍ୟାୟ ଏବଂ ପଞ୍ଚମ ପର୍ଯ୍ୟାୟର ଦ୍ବିତୀୟ ପ୍ରୟାସ ଅଧୀନରେ କୋଇଲା ଖଣିଗୁଡ଼ିକର ନିଲାମୀ ଆରମ୍ଭ କରାଯାଇଥିଲା। ଏହି ନିଲାମୀ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ଦୁଇଟି ଖଣିର ନିଲାମୀ ସମ୍ପନ୍ନ ହୋଇଛି।

Comments are closed.