ହୋଲିରେ ରାଜଧାନୀ ଉପରେ ପୁଲିସର ରହିବ କଡ଼ା ନଜର, ନିଶା ଖାଇ ମଉଜ ନ କରିବାକୁ ଚେତାବନୀ

ଭୁବନେଶ୍ୱର, ୭।୩: ରାଜଧାନୀରେ ହୋଳି ପାଳନ ବେଳେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି  ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ ନଜର ରଖିବ। ପୁଲିସ ୩୧ଟି ସ୍ଥାନରେ ପିକେଟିଙ୍ଗ କରିବ। ଏହାଛଡ଼ା ରାଜଧାନୀରେ ୧୭ଟି ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି।ଏଣେ ହୋଲି ପାଇଁ ନଦୀପଠାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡ଼ାଇବା ପାଇଁ ସବୁ ନଦୀ ପଠା ରେ ପୁଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହେବେ। ପୁରୀ କେନାଲ, କୁଆଖାଇ, ଦୟା, ବାଳକାଟି କେନାଲ,ବିନ୍ଦୁସାଗର, କେଦାରଗୌରୀ ଓ ଗୁଆଝରରେ ନଜର ରଖିବ ପୁଲିସ।  ୪ଟି ସ୍ଥାନରେ ଷ୍ଟାଇକିଙ୍ଗ ଫୋର୍ସଙ୍କୁ ବି  ମୁତୟନ କରାଯିବ। କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ, ଯେଉଁମାନେ ଦୁର୍ଘଟଣା ଘଟି ମେଡିକାଲ ଆସିବେ, ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ସହଯୋଗ କରିବେ।

ଡିସିପି ଆହୁରି କହିଛନ୍ତି, ୪ ଜଣ ଏଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୭ ଏସିପି, ୨୮ ଆଇଆଇସି, ୫୭ଜଣ ଏସଆଇ ଓ ୧୫ ପ୍ଲାଟୁନ ପୁଲିସ ଫୋର୍ସ କାର୍ଯ୍ୟ କରିବେ। ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଟିମ୍ କାମର ତଦାରଖ କରିବେ। ରାତିରେ ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ବି ପୁଲିସ ପକ୍ଷରୁ ନଜର ରଖାଯାଇଛି। ହୋଲି ଉତ୍ସବ ପାଳିବା ନାଁରେ ନିଶା ଖାଇ ମଉଜ ନ କରିବାକୁ ସେ ଚେତାବନୀ ଦେଇଛନ୍ତି।

Comments are closed.