୧ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌ ପରୀକ୍ଷା

0

ଭୁବନେଶ୍ୱର,୨୫।୧: ଫେବ୍ରୁଆରୀ ୧ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ପାଖାପାଖି ଲକ୍ଷେ ୪୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌ ପରୀକ୍ଷା ଦେବେ । ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଆବଶ୍ୟକ ସାମଗ୍ରୀଠୁ ଆରମ୍ଭ କରି ପରୀକ୍ଷା ଖାତା ପଠାଇବା ଆରମ୍ଭ କରିଛନ୍ତି ପରିଷଦ କର୍ତ୍ତୃପକ୍ଷ । ଆସନ୍ତା ୨୭ ତାରିଖ ମଧ୍ୟରେ ସମସ୍ତ କେନ୍ଦ୍ରରେ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଆବଶ୍ୟକ ସାମଗ୍ରୀ ପହଞ୍ଚିବ। ଯୁକ୍ତ ଦୁଇ ବିଜ୍ଞାନର ପାଖାପାଖି ୯୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍‌ ପରୀକ୍ଷା ଦେବେ । ସେହିପରି କଳାରେ ଶିକ୍ଷା, ଗୃହ ବିଜ୍ଞାନ, ମନୋବିଜ୍ଞାନ, ସୂଚନା ପ୍ରଯୁକ୍ତି, ଭାରତୀୟ ସଙ୍ଗୀତ, ପରିସଂଖ୍ୟାନ, ଭୂଗୋଳ, ମାନବ ବିଜ୍ଞାନ ଓ ବାଣିଜ୍ୟର କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ଏବଂ ସୂଚନା ପ୍ରଯୁକ୍ତି ବିଷୟଗୁଡ଼ିକରେ ମଧ୍ୟ ପ୍ରାକ୍ଟିକାଲ୍‌ କରାଯିବ। ପ୍ରାକ୍ଟିକାଲ୍‌ ବିଷୟ ଥିବା ଛାତ୍ରଛାତ୍ରୀମାନେ ନିଜର ଆଡମିଟ୍‌ କାର୍ଡ କଲେଜରୁ ସଂଗ୍ରହ କରିପାରିବେ ।

କଲେଜଗୁଡ଼ିକ ପାଇଁ ଅନ୍‌ଲାଇନ୍‌ରେ ସାମ୍ସ ଇ-ସ୍ପେସ୍‌ରେ ଆଡମିଟ୍‌ କାର୍ଡ ଅପଲୋଡ୍‌ ହୋଇଥିବା ନେଇ ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି । ସେହିପରି ଆଡମିଟ୍‌ କାର୍ଡରେ କୌଣସି ତ୍ରୁଟି ଥିଲେ, ଫେବ୍ରୁଆରୀ ୮ ତାରିଖ ସୁଦ୍ଧା ସଂଶୋଧନ କରାଯାଇପାରିବ । କଲେଜଗୁଡ଼ିକ ଠିକ ଭାବେ ଯାଞ୍ଚ କରି କରେକ୍ଟେଡ୍‌ ନେମ୍‌ ଆଣ୍ଡ ରୋଲ୍‌ ବା ସିଏନ୍‌ଆର୍‌ ଉପଯୁକ୍ତ ସମୟରେ ଦାଖଲ କରିବାକୁ ଡ. ନାୟକ ସମସ୍ତ ଜୁନିୟର୍‌ କଲେଜ ବା ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ ଦେବା ପୂର୍ବରୁ ଉଭୟ ପରୀକ୍ଷାର୍ଥୀ ଓ କଲେଜ କର୍ତ୍ତୃପକ୍ଷ ଉପଯୁକ୍ତ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ତଥାପି ଯଦି କୌଣସି ତ୍ରୁଟି ଥିବ, ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ମେଲ୍‌ ଆଇଡି ରେ ସୂଚିତ କରିପାରିବେ। ଉଲ୍ଲେଖଯୋଗ୍ୟ, ଯୁକ୍ତ ଦୁଇ ଥିଓରି ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହେବ । ତା ପୂର୍ବରୁ ପ୍ରାକ୍ଟିକାଲ୍‌ ପରୀକ୍ଷା ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇ ୧୦ ତାରିଖରେ ସରିବ। ଉଭୟ ଥିଓରି ଓ ପ୍ରାକ୍ଟିକାଲ୍‌ ପରୀକ୍ଷା କୋଭିଡ୍‌ କଟକଣା ମଧ୍ୟରେ କରାଯିବ । ସମସ୍ତ ପରୀକ୍ଷା ସିସିଟିଭି ନଜରରେ ରହିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକର ଉଭୟ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପିଲାମାନେ ପରୀକ୍ଷା ଦେବେ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ନାୟକ କହିଛନ୍ତି।

Leave A Reply

Your email address will not be published.