ରାତି ପାହିଲେ ଗଣତନ୍ତ୍ର ଦିବସ

ରାଜ୍ୟସ୍ତରୀୟ ପରେଡରେ ଏଥର ୪୪ ଟ୍ରୁପ୍‌, ୯ ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର, ୨୪।୧: ଦିନକ ପରେ ୭୪ତମ ସାଧାରଣତନ୍ତ୍ର ଦିବସ। ଦୁଇ ବର୍ଷ କରୋନା କଟକଣା ପରେ ଦୁଲୁକିବ ଗାନ୍ଧିମାର୍ଗ। ରାଜ୍ୟସ୍ତରୀୟ ଉତ୍ସବ ପାଇଁ ମଙ୍ଗଳବାର ସରିଛି ଫୁଲ୍‌ ଡ୍ରେସ୍‌ ପରେଡ୍‌ ଅଭ୍ୟାସ (ରିହର୍ସାଲ୍‌)। ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ୍‌ ବନ୍‌ସଲ୍‌ ରିହର୍ସାଲ୍‌ ତଦାରଖ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ସକାଳ ସାଢ଼େ ୮ଟାରେ ପହଞ୍ଚିବେ। ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ ଅଭିବାଦନ ଗ୍ରହଣ କରିବେ। ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଡିଜିପି ଶ୍ରୀ ବଂଶଲ କହିଥିଲେ, ଏଥର କଟକଣାମୁକ୍ତ ଉତ୍ସବରେ ବହୁସଂଖ୍ୟକ ଦର୍ଶକ ଉପସ୍ଥିତ ରହିବେ। ସ୍କୁଲ କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡ୍‌ରେ ଭାଗ ନେବେ। ମୋଟ ୪୪ଟି କଣ୍ଟିଜେଣ୍ଟ ପରେଡ୍‌ କରିବେ। ଗାନ୍ଧିମାର୍ଗରେ ତନ୍ନତନ୍ନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଚାଲିଛି ।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ଡିଜିପି ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଗାନ୍ଧିମାର୍ଗକୁ ଜଗିବ। ୨୦୦ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ଭୁବନେଶ୍ୱର ଡିସିପି ପ୍ରତୀକ ଗୀତା ସିଂଙ୍କ ସୁରକ୍ଷା ବ୍ୟବସ୍ଥାର ନେତୃତ୍ୱ ନେବେ। ସମ୍ପୂର୍ଣ୍ଣ ଗାନ୍ଧିମାର୍ଗ ସିସିଟିଭି ନଜରରେ ରହିବ।

ପରେଡ୍‌ କମାଣ୍ଡିଂ କରିବେ କେସିଙ୍ଗା ଏସ୍‌ଡିପିଓ ତଥା ଯୁବ ଆଇପିଏସ ୟସପ୍ରତାପ ଶ୍ରୀମାଲ। ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶ ପୁଲିସଙ୍କ ଚିତ୍ତାକର୍ଷକ ପରେଡ୍‌ ଦେଖିବ ଗାନ୍ଧିମାର୍ଗ । ମୋଟ୍‌ ୪୪ ଟ୍ରୁପ୍‌୍‌ରୁ ୨୩ଟି ସ୍କୁଲ ଛାତ୍ରଛାତ୍ରୀଙ୍କର। ଏନ୍‌ସିସି, ଭାରତ ସ୍କାଉଟ୍‌ ଆଣ୍ଡ ଗାଇଡ୍‌ ଛାତ୍ରଛାତ୍ରୀ ବ୍ରାସ୍‌ବ୍ୟାଣ୍ଡ୍‌ ତାଳେ ତାଳେ ଗାନ୍ଧିମାର୍ଗରେ ଚାଲିବେ । ପୁଲିସ ଓ ସେନାର ୧୬ଟି ଟ୍ରୁପ୍‌ ଓ ୫ଟି ବ୍ରାସ୍‌ବ୍ୟାଣ୍ଡ୍‌ ମଧ୍ୟ ପରେଡ୍‌ କରିବେ । ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌), ନୌସେନା, ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିଅନ୍‌, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍‌), ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ (ସପ୍ତମ ବାଟାଲିଅନ୍‌), ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ୍‌ (ଏସ୍‌ଏସ୍‌ବି), ଇଣ୍ଡିଆନ୍‌ ରିଜର୍ଭ (ଆଇଆର୍‌) ବାଟାଲିଅନ୍‌, ସ୍ପେଶାଲ ଅପରେସନ ଗ୍ରୁପ୍‌(ଏସ୍‌ଓଜି), ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ (ଓଏସ୍‌ଏଏଫ୍‌), ଓଡି଼ଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସ୍‌ଏଫ୍‌) ଆର୍ମଡ୍‌ ପୁଲିସ ରିଜର୍ଭ (ଏପିଆର୍‌), ମହିଳା କନଷ୍ଟେବଳ, ହୋମଗାର୍ଡ, ଅଗ୍ନିଶମ ଓ ଓଡ୍ରାଫ୍‌ର ଗୋଟିଏ ଲେଖାଏଁ ଟ୍ରୁପ୍‌ ପରେଡ୍‌ରେ ଭାଗ ନେବେ।

ଏହାବାଦ୍‌ ୯ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ଗାନ୍ଧିମାର୍ଗରେ ଗଡି଼ବ । ବିଭିନ୍ନ ସରକାରୀ ଯୋଜନା ଓ କଳିଙ୍ଗ ବୀରତ୍ୱ ଗାଥା ବଖାଣିବ ଏସବୁ ମେଢ଼ । କଳାହାଣ୍ଡି ଘୁମରା ନାଚ, ବୌଦ୍ଧର ଶିଙ୍ଘ ବାଜା, ରାୟଗଡ଼ା ପାରମ୍ପରିକ ଲୋକନୃତ୍ୟ, ବ୍ରହ୍ମପୁର ବାଘ ନାଚ ଭଳି ୪ଟି ସାଂସ୍କୃତିକ ଦଳ ପ୍ରଦର୍ଶନ କରିବେ । ବିଗତ ବର୍ଷ ଭଳି ଏଥର ମଧ୍ୟ ଡେୟାର ଡେଭିଲ୍‌ ସୋ’ରେ ଚିତ୍ତାକର୍ଷକ ବାଇକ୍‌ ଷ୍ଟଣ୍ଟ ଓ ସ୍କେଟିଂ ଟିମ୍‌ରେ କୁନି ପିଲାଙ୍କ ନାନା କୌଶଳ ମଧ୍ୟ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିବ ।

 

Comments are closed.