ନୌସେନା ପାଖକୁ ଆସିଲା ୨ଟି ରୋମିଓ ହେଲିକପ୍ଟର

ଆକାଶମାର୍ଗରୁ ଧ୍ବଂସ କରିପାରିବ ବୁଡ଼ାଜାହାଜ

ନୂଆଦିଲ୍ଲୀ, ୨୮।୭: ଭାରତୀୟ ନୌସେନା ପାଇଁ ଗୁରୁବାର ଦିନଟି ଥିଲା ଏକ ସ୍ମରଣୀୟ ଦିନ। କାରଣ ଏହି ଦିନ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତ ନୌସେନା ହାତକୁ ଆସିଥିବା ବେଳେ ଅନ୍ୟପଟେ ଆମେରିକାଠାରୁ ଦୁଇଟି ଏମ୍‌ଏଚ୍‌୬୦-ଆର ରୋମିଓ ହେଲିକପ୍ଟର ଆସିଛି।

ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ନୌସେନାକୁ ଆମେରିକା ମୋଟ ୨୪ଟି ରୋମିଓ ହେଲିକାପ୍ଟର ଯୋଗାଇବ। ଗତବର୍ଷ ୩ଟି ହେଲିକପ୍ଟର ଆସିଥିବା ବେଳେ ଚଳିତ ବର୍ଷ ଏହି ୨ଟି ହେଲିକପ୍ଟର ଆସିଛି। ଆସନ୍ତା ମାସରେ ଆଉ ଏକ ହେଲିକାପ୍ଟର ଆସିବ। ଆସନ୍ତା ୨୦୨୫ ସୁଦ୍ଧା ସମସ୍ତ ୨୪ଟି ଯାକ ହେଲିକାପ୍ଟର ଭାରତରେ ପହଞ୍ଚିବ।

ଏସବୁ ହେଲିକପ୍ଟର ଆମେରିକା ବାୟୁସେନାର ସ୍ବତନ୍ତ୍ର ଏୟାର ଆସାଇନମେଣ୍ଟ ମିସନ ଫ୍ଲାଇଟ ଦ୍ବାରା ଭାରତର କୋଚିକୁ ଅଣାଯାଇଥିଲା। ଏସବୁ ହେଲିକପ୍ଟର କୋଚିଠାରେ ଥିବା ନୌସେନା ଘାଟିରେ ମୁତୟନ କରାଯିବ। ପରବର୍ତ୍ତୀ କାଳରେ ଏହି ହେଲିକପ୍ଟର ଆଇଏନ୍‌ଏସ୍‌ ବିକ୍ରାନ୍ତରେ ମୁତୟନ ହେବ।

ଏମଏଚ୬୦-ଆରକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ନାଭାଲ ହେଲିକପ୍ଟର କୁହାଯାଉଛି। ଏହା ଆକାଶମାର୍ଗରୁ ମିସାଇଲ ମାଡ଼ କରି ସମୁଦ୍ର ତଳେ ଯାଉଥିବା ବୁଡ଼ାଜାହାଜକୁ ଧ୍ବଂସ କରିପାରିବ। ଏହି ହେଲିକାପ୍ଟରରେ ହେଲଫାୟାର ମିସାଇଲ ଓ ଅନ୍ୟ କେତେକ ଘାତକ ରକେଟ ସିଷ୍ଟମ ରହିବ। ପୁଣି ଏଥିରେ ଏକ ଅତ୍ୟାଧୁନିକ ମେସିନ ଗନ, ରାଡାର ସିଷ୍ଟମ, ଇଲେକ୍ଟ୍ରୋନିକ ଓ୍ବାରଫେୟାର ସିଷ୍ଟମ ଲାଗିଛି।

 

Comments are closed.