ରାଜ୍ୟ କ୍ୟାବିନେଟ୍‌ରେ ୨୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର, ୯।୨: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ମୋଟ ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରାୟ ୪୪୦କୋଟି ଟଙ୍କାର ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ, ଜାଭିୟର ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ, ଫୁଡ୍ ସେଫ୍ଟି ସେବାରେ ୭୫ଟି ନୂଆ ଅଫିସର ପଦବୀ ସୃଷ୍ଟି, ସମସ୍ତ ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ , ଶିଳ୍ପ ବିଭାଗ ଅଧୀନରୁ ହସ୍ତଶିଳ୍ପକୁ ଅଲଗା କରିବା ଭଳି ମୋଟ ୨୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଶିଳ୍ପ ବିଭାଗଠାରୁ ହସ୍ତଶିଳ୍ପକୁ ଅଗଲା କରି ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ସହ ମିଶ୍ରଣ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହସ୍ତଶିଳ୍ପ କ୍ଷେତ୍ର ନିମନ୍ତେ ୫୫୨ଟି ବିଭିନ୍ନ ପଦପଦବୀ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇ ଏମଏସଏମଇ ବିଭାଗଠାରୁ ଅଲଗା କରାଯାଇଛି। ଏହି କର୍ମଚାରୀମାନେ ଉଭୟ ହସ୍ତଶିଳ୍ପ ଓ ଏମଏସଏମଇ ବିଭାଗ ପାଇଁ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଚାକିରିର ନିୟନ୍ତ୍ରଣ ଏମଏସଏମଇ ବିଭାଗ ଅଧୀନରେ ରହିଥିଲା। ଏହି ଅସୁବିଧାକୁ ଦୂର କରିବା ପାଇଁ ହସ୍ତଶିଳ୍ପ ପାଇଁ ସ୍ୱତନ୍ତ୍ର କ୍ୟାଡ଼ର ଯଥା ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଓ ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ-୨୦୨୧ ସୃଷ୍ଟି କରିବା ପ୍ରସ୍ତାବ ସରକାରଙ୍କ ବିଚାରଧୀନ ଥିଲା। ଏବେ ରାଜ୍ୟ ସରକାର ଏହି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଘୋଷଣା କରିଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲାର ଟିକାବାଲି ଓ ବାଲିଗୁଡ଼ା ବ୍ଲକର ମୋଟ ୩୨୯ଟି ଗାଁର ୧ଲକ୍ଷ ୫ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୧୮୫.୯୨କୋଟି ଟଙ୍କାର ୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ। ଏହି ଦୁଇ ପ୍ରକଳ୍ପର ଟେଣ୍ଡର ମୁମ୍ବାଇସ୍ଥିତ ଜେଏମସି ପ୍ରୋଜେକ୍ଟ ୧୮୫.୯୨କୋଟି ଟଙ୍କାରେ ନେଇଛି ଓ ୨୪ମାସ ମଧ୍ୟରେ ଏହି କାର୍ଯ୍ୟ ସାରିବ। କ୍ୟାବିନେଟ ଆଜି ଏହି ଟେଣ୍ଡରକୁ ଅନୁମୋଦନ କରିଛନ୍ତି। ସେହିପରି ଯାଜପୁର ଜିଲ୍ଲାର ୫ଟି ବ୍ଲକର ୩୨୩ଟି ଗାଁର ୩.୯୦ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାନୀୟ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକୁ ମୁମ୍ବାଇର କେଇସି-ବିଆରସିସିପିଏଲ୍ ସଂସ୍ଥା ୨୫୪.୨୭କୋଟି ଟଙ୍କାରେ ଟେଣ୍ଡର ନେଇଛି। ୨୪ମାସ ମଧ୍ୟରେ ଏହି କାମ ସରିବ। କ୍ୟାବିନେଟ ଏହି ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି।

Comments are closed.