ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ

0

ଭୁବନେଶ୍ବର, ୩।୫: ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି। ହାଇକୋର୍ଟଙ୍କ ଅନୁମୋଦନ ପାଇବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।

କମିଟି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଛନ୍ତି। ସେହିପରି ଆଉ ୭ଟି ଅତିରିକ୍ତ ଜିଲ୍ଲା ଓ ସେସନ୍‌ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି। ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱର ଜିଲ୍ଲାର ସୋର ଓ ଜଳେଶ୍ୱରରେ ଗୋଟିଏ ଲେଖାଏଁ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଓ ଗଜପତି ଜିଲ୍ଲାର ଆର.ଉଦୟଗିରିଠାରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଓ ସେସନ କୋର୍ଟ ପ୍ରତିଷ୍ଠା ହେବ। ସେହିପରି କୋରାପୁଟରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ସେସନ କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ମିଳିଛି।

୫ଟି ସିଭିଲ ଜଜ୍‌ କୋର୍ଟ (ସିନିଅର ଡିଭିଜନ)କୁ ଅନୁମୋଦନ ମିଳିଛି। ଏଗୁଡ଼ିକ ନୟାଗଡ଼ ଜିଲ୍ଲାର ରଣପୁର, କଟକର ନରସିଂହପୁର ଏବଂ ବଡ଼ମ୍ବା, ଗଞ୍ଜାମର ସୋରଡ଼ା ଓ ସୋନପୁରର ରାମପୁର ଠାରେ ପ୍ରତିଷ୍ଠା ହେବ। ୧୧ଟି ସ୍ଥାନରେ ସିଭିଲ ଜଜ୍‌ କୋର୍ଟ (ଜୁନିଅର ଡିଭିଜନ) ସ୍ଥାପନ ହେବ। ଏଗୁଡ଼ିକ ବଲାଙ୍ଗିର ଜିଲ୍ଲାର ତୁଷରା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ବାହାନାଗା ଏବଂ ଜଳେଶ୍ୱର, ଯାଜପୁରର ଚଣ୍ଡିଖୋଲ, ଦେବଗଡ଼ର ବାରକୋଟ, ଜଗତସିଂହପୁରର ନାଉଗାଁ ଏବଂ କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ଏବଂ ଖଜୁରୀପଡ଼ାରେ ପ୍ରତିଷ୍ଠା ହେବ।

ଏଥିସହିତ କମିଟି ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରିଛନ୍ତି। କଟକ ସଦର, ଭୁବନେଶ୍ୱର, ବାଲେଶ୍ୱର ସଦର, ବଲାଙ୍ଗିର ସଦର, କେନ୍ଦ୍ରାପଡ଼ା ସଦର, ଜୟପୁର ଓ ରାଉରକେଲାରେ ଏଗୁଡ଼ିକ ପ୍ରତିଷ୍ଠା ହେବ। ପୁରୀରେ ଦୁଇଟି ବାଣିଜ୍ୟିକ ଅଦାଲତ ଖୋଲିବ। ସେହିପରି ଗୋଟିଏ ଲିଭ୍ ରିଜର୍ଭ ଅଦାଲତ ହେବ। ବୈଠକରେ ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ କରାଯାଇଛି। ଅତିରିକ୍ତ ଜିଲ୍ଲା ଓ ସେସନ କୋର୍ଟ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍ ଅଦାଲତ (ସିନିଅର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍ (ଜୁନିଅର ଡିଭିଜନ) ପାଇଁ ୬.୧୬ କୋଟି ଓ ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି।

Leave A Reply

Your email address will not be published.