ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭାରେ ୪ ବିଲ୍‌ ପାସ୍

0

ଭୁବନେଶ୍ୱର, ୮।୯: ବିରୋଧୀଙ୍କ ହଟ୍ଟଗୋଳ ଓ ଅନୁପସ୍ଥିତି ମଧ୍ୟରେ ସରକାର ଆଜି ୪ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ବିଧାନସଭାରେ ପାରିତ କରିଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି। ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଗ୍ରହଣ କରି ନ ଥିବାରୁ ଗୃହରେ ବିରୋଧୀ ଦଳ ସଦସ୍ୟମାନେ ହୋ-ହାଲ୍ଲା କରିବାରୁ ଗୃହକୁ ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।

ପ୍ରଥମାର୍ଦ୍ଧରେ ଗୃହ ମାତ୍ର ୧ ମିନିଟ୍ ଚାଲିବା ସମ୍ଭବପର ହୋଇପାରିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଲାଗି ରହିଥିବା ବେଳେ ସରକାର ୪ଟି ବିଲକୁ ପାରିତ କରାଇ ନେଇଥିଲେ। ଓଡ଼ିଶା ପଂଚାୟତ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ, ଓଡ଼ିଶା ହାଉସିଂ ବୋର୍ଡ ସଂଶୋଧନ ବିଲ୍ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ପାରିତ ହୋଇଛି। ତେବେ ଗୃହରେ ଓବିସିଙ୍କ ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ନିମନ୍ତେ ଆସିବାକୁ ଥିବା ସଂକଳ୍ପ ପ୍ରସ୍ତାବ ଆଜି ଆସିପାରିନି।

ବିରୋଧୀ ଦଳର ଅନୁପସ୍ଥିତିରେ ବିଲ୍ ପାସ ହେବା ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଗୃହରେ ବିରୋଧୀ ଦଳ ପକ୍ଷରୁ ଖଣି ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଆସିଥିଲା। ମାତ୍ର ବାଚସ୍ପତି ତାକୁ ଶାସକ ଦଳ ଚାପରେ ବନ୍ଦ କରିଦେଲେ। ସେଥିପାଇଁ ବାଚସ୍ପତଙ୍କୁ ଏହି ବିଷୟରେ ପଚାରିବାରୁ ସେ ଗୃହକୁ ବନ୍ଦ କରିଦେଲେ। ବିରୋଧୀ ସଦସ୍ୟମାନେ ତାଙ୍କୁ ଘେରାଉ କରିଥିଲେ। କିନ୍ତୁ ବିରୋଧୀଙ୍କ ଅନୁପସ୍ଥିତିରେ ଆଜି ଗୃହରେ ବିନା ଆଲୋଚନାରେ ୪ଟି ବିଲକୁ ସରକାର ଗୃହୀତ କରାଇ ନେଇଛନ୍ତି । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିଜେପି କଡ଼ା ଭାଷାରେ ନିନ୍ଦା କରୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.