ପାରିତ ହେଲା ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌

୫୦% ଭିତରେ ରହିବ ମୋଟ୍‌ ସଂରକ୍ଷଣ

0

ଭୁବନେଶ୍ୱର, ୮।୯: ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି। ବିଲ୍‌ ଅନୁସାରେ ମୋଟ୍‌ ସଂରକ୍ଷଣ ୫୦% ଭିତରେ ରହିବ। ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ଭିତରେ ରହିବ। ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦% ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ରହିବ। ଏହି ବିଲ୍‌ ବିଧାନସଭାରେ ପାରିତ ହେଲା ପରେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି।

ଅନ୍ୟପକ୍ଷରେ ଗତକାଲି ମ୍ୟୁନିସପାଲ ଆଇନ୍‌ ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଯାଇଛି। ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଛି। ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ। ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।  ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସଂରକ୍ଷଣ ଦିଆଯିବ। ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଆବଶ୍ୟକ ଆସନ ସଂରକ୍ଷଣ ଦେବା ପରେ ପଛୁଆ ବର୍ଗଙ୍କୁ ଦିଆଯିବ। ଆସନର ଅବଶିଷ୍ଟ ଅଂଶଗୁଡ଼ିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ। ତେବେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ୨୭%ରୁ ଅଧିକ ହେବନି।

ସୂଚନାରୁ ପ୍ରକାଶ, ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବକୁ ନେଇ ହାଇକୋର୍ଟରେ ୩ଟି ପୃଥକ ମାମଲା ଦାୟର ହୋଇଥିଲା। ଅଗଷ୍ଟ ୨୫ ତାରିଖରେ ହାଇକୋର୍ଟ ଏହି ମାମଲାର ଏକତ୍ର ଶୁଣାଣି କରିଥିଲେ। ଶୁଣାଣି ପ‌ରେ ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ କୋର୍ଟ। ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ କୁମାର ମିଶ୍ରଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରି ୪ ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.