ରାଜ୍ୟରେ ୫୪% ଡାକ୍ତର ପଦବି ଖାଲି

ନର୍ସ, ପାରାମେଡିକସ୍ ପଦବି ବି ଅଧା ଖାଲି

0

ଭୁବନେଶ୍ବର,୨୬/୧୦: ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ହସ୍ପିଟାଲ୍‌ଗୁଡ଼ିକର ଭିତ୍ତିଭୂମି ବଢ଼ାଯାଉଛି। କିନ୍ତୁ ସ୍ବାସ୍ଥ୍ୟସେବାର ମୂଳ ଭିତ୍ତି ଅର୍ଥାତ ଡାକ୍ତର, ନର୍ସ, ଫାର୍ମାସିଷ୍ଟଙ୍କ ରାଜ୍ୟରେ ଘୋର ଅଭାବ ରହିଛି। ଡାକ୍ତର ପଦବି ଅର୍ଦ୍ଧାଧିକ ଖାଲି ପଡ଼ିଛି। ବିଭିନ୍ନ ଜିଲ୍ଲାରେ ମୋଟ୍‌ ୮୭୧୯ ମଞ୍ଜୁରିପ୍ରାପ୍ତ ବ‌ିଶେଷଜ୍ଞ ଓ ଡାକ୍ତରୀ ପଦବି ରହିଛି। କିନ୍ତୁ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ୩୯୮୦। ୪୭୩୯ ପଦବିରେ ଡାକ୍ତର ନାହାନ୍ତି। ଅର୍ଥାତ ୫୪.୩୫% ପଦବି ଖାଲି ପଡ଼ିଛି। ଗତ ବିଧାନସଭା ସମୟ‌ରେ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହି ସୂଚନା ଦେଇଛନ୍ତି।

କିଛି ଜିଲ୍ଲାରେ ଡାକ୍ତର ସଙ୍କଟ ସଙ୍ଗୀନ୍ ହୋଇଛି। ନୂଆପଡ଼ା ଜିଲ୍ଲାରେ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବି ମଧ୍ୟରୁ ୬୬ ପ୍ରତିଶତ ଖାଲି ପଡ଼ିଛି। ଗଞ୍ଜାମରେ ୬୪% ଓ ନବରଙ୍ଗପୁରରେ ୬୩% ଡାକ୍ତର ନାହାନ୍ତି। ଆହୁରି ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ୭୦ ଜଣ ଡାକ୍ତର ଲମ୍ବା ଛୁଟିରେ କିମ୍ବା ବେଆଇନ୍ ଭାବେ ଅନୁପସ୍ଥିତ ରହୁଛନ୍ତି। ୮୮ ଜଣ ଡାକ୍ତରଙ୍କ ବଦଳି ପରେ ବିଭିନ୍ନ ସ୍ଥାନରୁ ରିଲିଭ୍ ହୋଇଛନ୍ତି, କିନ୍ତୁ ନୂଆ ଜାଗାରେ ଯୋଗ ଦେଇ ନାହାନ୍ତି ବୋଲି ମନ୍ତ୍ରୀଙ୍କ ଉତ୍ତରରେ ଜଣାପଡ଼ିଥିଲା।

କେବଳ ଡାକ୍ତର ନୁହନ୍ତି, ନର୍ସ ଓ ପାରାମେଡିକସ୍‌ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। ସରକାରୀ ଡାକ୍ତରଖାନାରେ ୨୧,୩୩୮ଟି ନର୍ସ ଓ ପାରାମେଡିକସନ୍ ପଦବି ମଧ୍ୟରୁ ୧୪,୭୪୦ ପଦବି ଖାଲି ପଡ଼ିଛି। ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.