କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ସଫଳ

ଆଗାମୀ ଦିନରେ ଆହୁରି ତୀବ୍ର ହେବ ଆନ୍ଦୋଳନ

0

ଭୁବନେଶ୍ବର, ୧୨।୧୧: ମମିତା ମେହେର ହତ୍ୟାକାଣ୍ଡର ନ୍ୟାୟ ଦାବିରେ ଆଜି କଂଗ୍ରେସ ତରଫରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ସରିବା ପରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏନେଇ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ମମିତା ମେହେରଙ୍କର ଯେଉଁଭଳି ଭାବେ ହତ୍ୟା କରାଯାଇଛି ଏବଂ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ସମସ୍ତଙ୍କୁ ଦଣ୍ଡିତ କରିବାର ଆବଶ୍ୟକତା ରହିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉକ୍ତି ସ୍କୁଲରେ ରାତ୍ରୀଯାପନ କରୁଥିଲେ ବୋଲି ମମିତାର ବାପା ମା କହିଛନ୍ତି। କିନ୍ତୁ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇ ପୁଲିସ ବାରାକରେ ରଖାଗଲା ଏବଂ ଫେରାର ହେବା ପାଇଁ ସୁଯୋଗ ଦିଆଗଲା। ଏବେ ମମିତାଙ୍କ ପରିବାରକୁ ଧମକାଇ ବୟାନ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତିର ଛାଇ ଦେଖିଲେ ବି ପଦକ୍ଷେପ ନେଉଥିଲେ, କିନ୍ତୁ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୋଟିଏ ମଞ୍ଚରେ ବସାଉଛନ୍ତି। ରାଜ୍ୟ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି।
ଧୃତରାଷ୍ଟ୍ରଙ୍କ ଭଳି ନବୀନ ପଟ୍ଟନାୟକଙ୍କୁ ମଧ୍ୟ କିଛି ଦେଖାଯାଉନାହିଁ। ପୁଲିସ ଗୁଣ୍ଡା ଲଗାଇ ଏ ସରକାର କଂଗ୍ରେସର ହରତାଳକୁ ବନ୍ଦ କରିବା ପାଇଁ ଉଦ୍ୟମ କରିଛନ୍ତି। ଆଗାମୀ ଦିନରେ ଏ ଧୃତରାଷ୍ଟ୍ର ସରକାରକୁ ହଟାଇବା ପାଇଁ ଲୋକ ସାମ୍ନାକୁ ଆସିବେ। ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ତୁରନ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରନ୍ତୁ। ବିଜେଡିର ଚକ୍ରାନ୍ତର ଜବାବ ଜନସାଧାରଣ ଦେବେ। ଆଗାମୀ ଦିନରେ ବିଧାନସଭାରେ ମଧ୍ୟ ମମିତା ମେହେର ପ୍ରସଙ୍ଗ ଉଠାଇବ କଂଗ୍ରେସ ‌ବୋଲି ଦଳ ପକ୍ଷରୁ କୁହାଯାଇଛି।
ଏଣେ ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି, କଂଗ୍ରେସ ଦିବ୍ୟଶଙ୍କର ମିଶ୍ର, ଗିରଫଦାରି ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ବନ୍ଦ ଡାକରା ଦେଇଥିଲା। ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ଏକ ନୂତନ ଢାଞ୍ଚାରେ କଂଗ୍ରେସ ବନ୍ଦ କରିଛି। ଯେଉଁମାନେ ହାଇକୋର୍ଟରେ ବନ୍ଦ ବିରୋଧରେ ହୋଇଥିବା ମକଦ୍ଦମା ଲଢୁଥିଲେ, ସେମାନେ ବିଜେଡି ଲିଗାଲ ସେଲର କର୍ମକର୍ତ୍ତା । ବିଜେଡି ଯେଉଁ ଆଶଙ୍କା କରି ହାଇକୋର୍ଟ ଯାଇଥିଲା ତାହା ସଫଳ ହେଲା ନାହିଁ। ହାଇକୋର୍ଟଙ୍କ ରାୟ ସମସ୍ତ ରାଜନୈତିକ ଦଳ ପାଇଁ ଲାଗୁ ହେବା ଉଚିତ। କଂଗ୍ରେସର ବନ୍ଦ ଉଦ୍ଦେଶ୍ୟ ସାଧିତ ହୋଇଛି। ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଦଳ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.