୭୫୦ ଗ୍ରାମ୍‌ ଓଜନର ନବଜାତ ଶିଶୁକନ୍ୟାକୁ ନୂଆ ଜୀବନ ଦେଲେ ସମ୍ମମ୍‌ ଡାକ୍ତର

0

ଭୁବନେଶ୍ୱର, ୭/୭: ସମ୍‌ ଅଲ୍ଟିମେଟ ମେଡିକେୟାରର ଶିଶୁରୋଗ ବିଶେଷଜ୍ଞ ମାତ୍ର ୭୫୦ ଗ୍ରାମ୍‌ ଓଜନର ନବଜାତ ଶିଶୁକନ୍ୟାର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ମାତ୍ର ୨୬ ସପ୍ତାହ ଗର୍ଭଧାରଣ ପରେ ଜଣେ ମହିଳାଙ୍କର ସିଜରିଆନ୍‌ ସେକ୍ସନ୍‌ ଦ୍ୱାରା ଏକ ଶିଶୁ କନ୍ୟା ସମ୍ମମ୍‌ରେ ଜନ୍ମଲାଭ କରିଥିବା ବେଳେ ଜନ୍ମ ପରେ ପରେ ହିଁ ଶିଶୁଟିର ନିଃଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ତାକୁ ଏନ୍‌ଆଇଭି ସପୋର୍ଟରେ ରଖାଯାଇଥିଲା ବୋଲି ସମ୍ମମ୍‌ର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ ସୂଚନା ଦେଇଛନ୍ତି।

ମାତ୍ର ୨୬ ସପ୍ତାହ ଗର୍ଭଧାରଣରେ ଜନ୍ମ ନେଇଥିବା ୫୦ ପ୍ରତିଶତରୁ କମ୍‌ ଶିଶୁଙ୍କ ଜୀବନ ବଂଚାଇବା ସମ୍ଭବ ହୋଇଥିବା ବେଳେ ହସ୍ପିଟାଲ୍‌ର ଡାକ୍ତରୀ ଟିମ୍‌ର ନିରନ୍ତର ପ୍ରଚେଷ୍ଟା ଫଳରେ ଶିଶୁଟି ସୁସ୍ଥ ହୋଇପାରିଛି ବୋଲି ସେ କହିଛନ୍ତି ।

ଗଞ୍ଜାମ ଜିଲ୍ଲା ଆସ୍କା ଅଂଚଳର ଏହି ଶିଶୁ କନ୍ୟାଟିର ମା’ ପ୍ରସବ ନିମନ୍ତେ ସମ୍ମମ୍‌ରେ ଭର୍ତ୍ତି ହେବା ସମୟରେ ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଥାଇରଏଡ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ଏବଂ ପୂର୍ବରୁ ମଧ୍ୟ ତାଙ୍କର ୩ ଥର ଗର୍ଭପାତ ହୋଇଥିଲା । ତେଣୁ ଉଭୟ ମା’ ଏବଂ ଶିଶୁଙ୍କ କ୍ଷେତ୍ରରେ ଏହା ଏକ ଜଟିଳ ପରିସ୍ଥିତି ଥିଲା ବୋଲି ଡେଲିଭରି କରାଇଥିବା ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତିରୋଗ ବିଭାଗର କନ୍‌ସଲ୍‌ଟାଣ୍ଟ ଗାଏନୋକୋଲୋଜିଷ୍ଟ ଡାକ୍ତର ଚିନ୍ମୟୀ କର କହିଛନ୍ତି ।

ତେବେ ଶିଶୁଟି ଜନ୍ମ ହେବା ପରେ ତା’ର ନିରନ୍ତର ଯତ୍ନ ନିଆଯାଇଥିଲା । ଦୀର୍ଘ ୩୨ ଦିନ ପର୍ଯ୍ୟନ୍ତ ତାକୁ ଏନ୍‌ଆଇଭି ସପୋର୍ଟରେ ରଖାଯାଇଥିଲା । ଇନ୍‌ଟ୍ରାଭେନସ୍‌ ଫ୍ଲୁଇଡ୍‌ ଦ୍ୱାରା ତା’ର ଶରୀରକୁ ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଇଥିଲା । ଜନ୍ମ ହେବାର ୧୭ ଦିନ ପରେ ଇନ୍‌ଟ୍ରାଭେନସ୍‌ ଫ୍ଲୁଇଡ୍‌ ମାଧ୍ୟମରେ ଖାଦ୍ୟ ଏବଂ ଔଷଧ ବନ୍ଦ କରାଯାଇଥିବା ବେଳେ ନାକ ବାଟେ ଟ୍ୟୁବ୍‌ ମାଧ୍ୟମରେ ଖାଦ୍ୟ ଦେବା ଆରମ୍ଭ କରାଯାଇଥିଲା ବୋଲି ଡାକ୍ତର ଦେ
କହିଛନ୍ତି ।ଶିଶୁଟି ଧିରେ ଧିରେ ସୁସ୍ଥ ହେବା ପରେ ତାକୁ ତାର ମା’ ନିକଟକୁ ନିଆଯାଇଥିଲା ଯାହାଦ୍ୱାରା କି ମା’ର ସ୍ପର୍ଶ ପାଇ ଶିଶୁଟି ଅଧିକ ସୁସ୍ଥ ହୋଇପାରିଥିଲା ବୋଲି ଡାକ୍ତର ଦେ କହିଛନ୍ତି । ଏହି ପଦ୍ଧତିକୁ କଙ୍ଗାରୁ ମଦର କେୟାର କୁହାଯାଏ ।

ଦୀର୍ଘ ୨ ମାସ ପରେ ଶିଶୁଟି ନିଓ-ନାଟାଲ୍‌ ଇନ୍‌ଟେନ୍‌ସିଭ କେୟାର ୟୁନିଟ୍‌ (ଏନ୍‌ଆଇସିୟୁ)ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ତା’ର ବାପା-ମା’ ହସ୍ପିଟାଲ୍‌ର କର୍ତ୍ତୃପକ୍ଷ ଏବଂ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି ।ପ୍ରାରମ୍ଭରୁ ଡାକ୍ତର ଦେ ଏବଂ ନିଓନାଟୋଲୋଜି ବିଭାଗର ଭିଜିଟିଙ୍ଗ କନ୍‌ସଲ୍‌ଟାଂଟ ଡାକ୍ତର ଦେବାଶିଷ ନନ୍ଦ ଶିଶୁଟିର ସମସ୍ତ ଚିକିତ୍ସା ଓ ଯତ୍ନ ନେଇଥିବା ବେଳେ ହସ୍ପିଟାଲ୍‌ର ଷ୍ଟାଫ୍‌, ନର୍ସ ଓ କନ୍‌ସଲ୍‌ଟାଂଟମାନେ ସମସ୍ତ ସାହାଯ୍ୟ ଓ ସହଯୋଗ କରିଥିଲେ ।

 

Leave A Reply

Your email address will not be published.