ବାହୁଡ଼ିଲେ ତିନି ଠାକୁର

ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ

0

ପୁରୀ, ୯।୭: ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ତିନିଠାକୁର। ରଥଯାତ୍ରା ଭଳି ଆଜି ମଧ୍ୟ ଶ୍ରୀଜୀଉଙ୍କ ସଅଳ ନୀତିକାନ୍ତି ପାଇଁ ନିର୍ଦ୍ଧାରିତ ସମୟ ଆଗରୁ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମାଉସୀ ମା’ ପାଖରୁ ପୋଡ଼ପିଠା ଖାଇ, ସନ୍ଧ୍ୟା ଗଡ଼ିବା ପୂର୍ବରୁ ସିଂହଦ୍ୱାର ସାମ୍ନାରେ ପହଞ୍ଚିଯାଇଥିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ।

ନିଦ୍ଧାରିତ ସମୟର ଢେର ଆଗରୁ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ। ଅନ୍ୟ ରୀତିନୀତି ପରେ ଶ୍ରୀ ନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ତା’ପରେ ଆରମ୍ଭ ହୋଇଥିଲା ଛେରାପହଁରା। ଦିନ ପ୍ରାୟ ସାଢ଼େ ଗୋଟାଏରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ।

ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କର ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। କିଛି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ। ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ତିନିଠାକୁର। ଏହାପରେ ଶ୍ରୀନଅର ସମ୍ମୁଖରେ ସଂପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ।

Leave A Reply

Your email address will not be published.