ଦୈତାରୀ ପଣ୍ଡାଙ୍କ ନାମରେ ଥାନାରେ ଅଭିଯୋଗ

ପାର୍ବତୀ ଗଣନାଟ୍ୟର ୧୫ ଲକ୍ଷ ଟଙ୍କା ଅଗ୍ରିମ ନେଇ ଯେଗାଯୋଗରେ ନାହାନ୍ତି

0

ଭୁବନେଶ୍ୱର, ୬।୭: ‘ଜୁନ ୨୧ ତାରିଖରୁ ପାର୍ବତୀ ଗଣନାଟ୍ୟର ଅଖାଡ଼ାକୁ ଦୈତ୍ୟାରୀ ପଣ୍ଡା ଆସିବା କଥା। ଏଥିପାଇଁ ସେ ପାର୍ଟି ଠାରୁ ଅଗ୍ରିମ ଆକାରରେ ୧୫ ଲକ୍ଷ ଟଙ୍କା ମଧ୍ୟ ନେଇଛନ୍ତି। କିନ୍ତୁ ୧୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ସେ ଆସୁନାହାନ୍ତି କିମ୍ବା ଫୋନ କଲେ ଉଠାଉନାହାନ୍ତି’। ଓଡ଼ିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତ୍ୟାରୀ ପଣ୍ଡାଙ୍କ ବିରୋଧରେ କିଛି ଏଭଳି ଅଭିଯୋଗ ଆଣି ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପାର୍ବତୀ ଗଣନାଟ୍ୟ କର୍ତୃପକ୍ଷ। ପାର୍ବତୀ ଗଣନାଟ୍ୟ ପକ୍ଷରୁ ଆଜି ଏହାର ମୁଖ୍ୟ ପରିଚାଳନା ଅଧିକାରୀ ହର ବାରିକ ଅନଲାଇନ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ପାର୍ବତୀ ଗଣନାଟ୍ୟ ସହ ୨୦୨୨-୨୩ ଯାତ୍ରା ସିଜିନ ପାଇଁ ବରିଷ୍ଠ ଯାତ୍ରା ଅଭିନେତା ଦୈତ୍ୟାରୀ ପଣ୍ଡା ଚୁକ୍ତି କରିଥିଲେ।

ଆଉ ଅଗ୍ରିମ ଆକାରରେ ସେ ନିଜ ଦରମାର ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୧୫ ଲକ୍ଷ ଟଙ୍କା ନେଇସାରିଛନ୍ତି। ଚୁକ୍ତିନାମା ଅନୁସାରେ ସେ ଜୁନ ୨୧ ତାରିଖରୁ ଆସି ଆଖଡ଼ାରେ ଆଗାମୀ ଯାତ୍ରା ପାଇଁ ପ୍ରସ୍ତୁତି କରିବା କଥା। କିନ୍ତୁ ସେ ଆଖଡ଼ାକୁ ନ ଆସିବା ସହ ତାଙ୍କୁ ଯୋଗାଯୋଗ କରାଯାଇପାରୁନାହିଁ। ଯେହେତୁ ବିଭିନ୍ନ ଯାତ୍ରା କମିଟିଠାରୁ ପାର୍ବତୀ ଗଣନାଟ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାର ଅଗ୍ରିମ ନେଇସାରିଛି, ତେଣୁ ଦୈତ୍ୟାରୀଙ୍କୁ ଖୋଜିବାରେ ପୁଲିସ ସାହାଯ୍ୟ କରୁ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଦୈତ୍ୟାରୀ ନ ଆସିଲେ ପାର୍ବତୀ ଗଣନାଟ୍ୟକୁ ଏକ ବଡ ଆର୍ଥିକ କ୍ଷତି ହେବ ବୋଲି ହର ବାରିକ କହିଛନ୍ତି। ହରଙ୍କ କହିବା କଥା ଯେ ଗଣନାଟ୍ୟ ପକ୍ଷରୁ ତାଙ୍କର ବାଲେଶ୍ୱରସ୍ଥିତ ଔପଦା ଘର ଓ ଭୁବନେଶ୍ବରର ପଟିଆ ଘରେ ବି ଖୋଜାଖୋଜି କରାଯାଇଥିଲେ ବି ସନ୍ଧାନ ମିଳୁନାହିଁ। ତେଣୁ ବାଧ୍ୟ ହୋଇ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏନେଇ ଦୈତ୍ୟାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.