ଏବର୍ଷ ୨୦% ଅଧିକ ମାଟ୍ରିକ ପରୀକ୍ଷାକେନ୍ଦ୍ର: ୫ ତାରିଖ ସୁଦ୍ଧା ସରିବ କେନ୍ଦ୍ର ଚୟନ

0

କଟକ,୨o।୨: ଗତବର୍ଷ ତୁଳନାରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ସଂଖ୍ୟା ସହ ନୋଡାଲ୍‌ ସେଣ୍ଟର ସଂଖ୍ୟା ବୃଦ୍ଧି କରାଯିବ। ଏ ବର୍ଷ ୨୦% ଅଧିକ ପରୀକ୍ଷା କେନ୍ଦ୍ର କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏଥିଲାଗି ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ମାନଙ୍କୁ ଆଗୁଆ ଅବଗତ କରାଯାଇଛି । ପୂର୍ବ ବର୍ଷ ଯେତିକି କେନ୍ଦ୍ର ଚୟନ କରାଯାଇଥିଲା ଏଥର ୨୦ ଭାଗ ଅଧିକ ସେଣ୍ଟର ମିଶାଇ ତାଲିକା ପଠାଇବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସେଣ୍ଟର ଚୟନ ଲାଗି ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ ଲାଇନ୍‌କୁ ଆଧାର କରି ଜିଲ୍ଲାସ୍ତରରେ ଥିବା ଚୟନ କମିଟି ୨୨ରୁ ୨୫ ତାରିଖ ମଧ୍ୟରେ ଉକ୍ତ କାର୍ଯ୍ୟ ସାରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ୬ ଲକ୍ଷ ୩୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ କୋଭିଡ୍‌ କଟକଣା ମଧ୍ୟରେ ପରୀକ୍ଷା ଆୟୋଜନ କରାଯିବା ହେତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବ ଅପେକ୍ଷା ଚଳିତ ବର୍ଷ ସେଣ୍ଟର ସଂଖ୍ୟା ବୃଦ୍ଧି କରିବାକୁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପକ୍ଷରେ ପରୀକ୍ଷାର୍ଥୀ ନିଜ ବିଦ୍ୟାଳୟ (ସେଲଫ୍‌ ସେଣ୍ଟର) ରେ ପରୀକ୍ଷା ଦେବା ଲାଗି ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ଏଥର ସେଣ୍ଟର ଚୟନ ପ୍ରକ୍ରିୟା ନିମନ୍ତେ ବୋର୍ଡ ଏକ ଗାଇଡ୍‌ ଲାଇନ୍‌ ଜାରି କରିଛି । ଗାଇଡ୍‌ଲାଇନ୍‌ ମୁତାବକ ସେଲଫ୍‌ ସେଣ୍ଟର୍‌ ଚୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଜସ୍ୱ ସେଣ୍ଟର ବ୍ୟବସ୍ଥାରେ ଅନ୍ୟ ସ୍କୁଲ୍‌ରୁ ୫୦ ପ୍ରତିଶତ ନିରୀକ୍ଷକଙ୍କୁ ନିୟୋଜନ କରିବା ପାଇଁ ବୋର୍ଡ ନିର୍ଦ୍ଦେଶାବଳୀ ଜାରି କରିଛି । ପରୀକ୍ଷା କେନ୍ଦ୍ରର ସର୍ବନିମ୍ନ କ୍ଷମତା ୧୫୦ ପରୀକ୍ଷାର୍ଥୀ ରଖାଯାଇଛି । ଯେଉଁ ବିଦ୍ୟାଳୟରେ ୧୫୦ରୁ କମ୍‌ ପରୀକ୍ଷାର୍ଥୀ ଥିବେ ସେମାନଙ୍କୁ ଅନ୍ୟ ପରୀକ୍ଷା ସେଣ୍ଟର ସହ ଟ୍ୟାଗ୍‌ କରାଯିବ ବୋଲି ସୂଚନା ମିଳିଛି । ନିଜସ୍ୱ ପରୀକ୍ଷା ସେଣ୍ଟରର ପରୀକ୍ଷାର୍ଥୀଙ୍କ ସହ ଟ୍ୟାଗ୍‌ ହୋଇଥିବା ଅନ୍ୟ ସ୍କୁଲ୍‌ର ପରୀକ୍ଷାର୍ଥୀମାନେ ପ୍ରତି ହଲ୍‌ରେ ଏକାଠି ପରୀକ୍ଷା ଦେବା ଲାଗି ବ୍ୟବସ୍ଥା ରହିଛି ।

ନିଜସ୍ୱ ସେଣ୍ଟର ବ୍ୟବସ୍ଥାରେ ଅନ୍ତର୍ଭୂକ୍ତ ହୋଇପାରୁନଥିବା ପରୀକ୍ଷାର୍ଥୀମାନଙ୍କୁ ଅନ୍ୟ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍‌ କରିବା ମଧ୍ୟରେ ପରୀକ୍ଷାର୍ଥୀଙ୍କ ନିଜ ସ୍କୁଲ୍‌ଠାରୁ ପରୀକ୍ଷା କେନ୍ଦ୍ରର ଦୂରତା ୫ କିମିରୁ ୧୦ କିମି ଭିତରେ ରଖିବା ପାଇଁ ଡିଇଓମାନଙ୍କୁ କୁହାଯାଇଛି । ଫେବ୍ରୁଆରୀ ୨୨ରୁ ୨୫ ମଧ୍ୟରେ ଜିଲ୍ଲା ସ୍ତରରେ ଥିବା ଚୟନ କମିଟିରେ ପରୀକ୍ଷା କେନ୍ଦ୍ର ସ୍ଥିର କରି ବୋର୍ଡକୁ ତାଲିକା ପଠାଇବା ପାଇଁ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ସ୍ତରରେ ଥିବା ଏହି ସେଣ୍ଟର ସିଲେକସନ୍‌ କମିଟିରେ ଜିଲ୍ଲାପାଳ,ଏସ୍‌ପି, ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜୋନ୍‌ ସ୍ତରରେ ବୋର୍ଡର ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ରହିଛନ୍ତି । ସେଣ୍ଟର ଚୟନରେ ପ୍ରତ୍ୟେକ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି । ସେହିପରି ବିଦ୍ୟାଳୟର ଦୁର୍ବଳ ଭିତ୍ତିଭୂମି ଥିଲେ ସେଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଚୟନରୁ ବାଦ୍‌ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

 

Leave A Reply

Your email address will not be published.