ମହାରାଷ୍ଟ ସ୍ଥିତି ଦେଖି ଆଗୁଆ ସତର୍କ ହେବାକୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର, ୧୯।୨: କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାର ଆଶଙ୍କା କରି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ପୁଲିସ ଏସ୍‌ପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ନିକଟ ଅତୀତରେ କୋଭିଡ-୧୯ ମାମଲା କେତେକ ରାଜ୍ୟରେ ବଢ଼ିବାରେ ଲାଗିଛି। ବିଶେଷକରି ମହାରାଷ୍ଟ୍ରରେ ଏହି ମାମଲା ବଢ଼ିଛି। ଦେଶ ଭିତରେ ଲୋକମାନଙ୍କ ଚଳପ୍ରଚଳ ରହିଥିବାରୁ ଯଦି ପ୍ରତୀକାତ୍ମକମୂଳକ ପଦକ୍ଷେପ ନିଆନଯିବ ତା’ହେଲେ ଓଡ଼ିଶାରେ କୋଭିଡ୍ ସ୍ଥିତି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ନିଜ ଜିଲ୍ଲା ଓ ସହରରେ ଯେଭଳି କୋଭିଡ୍ ମାମଲା ବୃଦ୍ଧି ପାଇବ ତାହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ଗାଇଡଲାଇନ ଅନୁସାରେ ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ, ଧର୍ମାନୁଷ୍ଠାନ ଓ ବଜାର ଆଦି ସ୍ଥାନଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କୋଭିଡ୍ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏ ସବୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନିମନ୍ତେ ଶ୍ରୀ ମହାପାତ୍ର ଚିଠି ଲେଖି ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମାମଲା ହ୍ରାସ ପାଉଥିଲେ ମଧ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସ୍ଥିତିରେ ଅବନତି ଦେଖାଯାଉଥିବାରୁ ଓଡ଼ିଶାରେ କୋଭିଡ୍ ମାମଲା ପୁଣିଥରେ ବଢ଼ିପାରେ ବୋଲି ସରକାର ଆଶଙ୍କା କରୁଛନ୍ତି।

Comments are closed.