ଓଡ଼ିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ଅନୁମୋଦନ

0

ଭୁବନେଶ୍ବର,୨୩।୧: ସତ୍ୟବାଦୀରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେବାର ପ୍ରାୟ ୩ବର୍ଷ ପରେ ଏହି ବିଶ୍ୱବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ରୂପରେଖ ସମ୍ପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଡିଜାଇନ୍ ଉପସ୍ଥାପନ କରାଯାଇଥିଲା। ସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ ଏହି ନୂଆ ବିଶ୍ୱବିଦ୍ୟାଳୟର ଡିଜାଇନ୍ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ପୁରୀ ଜିଲ୍ଲାର ସତ୍ୟବାଦୀସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଆଜି ଏହି ଡିଜାଇନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାର ବ୍ୟବସ୍ଥା ରହିବ। ଏଠାରେ ଶାନ୍ତ, ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନର ଲକ୍ଷ୍ୟ ରଖାଯାଇଛି।

ଏହି ବିଶ୍ୱବିଦ୍ୟାଳୟ ନିର୍ମାଣର ବିସ୍ତୃତ ଯୋଜନା ସମ୍ପର୍କରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ। ସ୍ୱାଧୀନତା ସଂଗ୍ରାମ ସମୟର ଏହି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ସତ୍ୟବାଦୀ ବନ ବିଦ୍ୟାଳୟରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ନିଶ୍ଚିତ ଭାବେ ଏକ ଅନନ୍ୟ ଉଦ୍ୟମ ବୋଲି କୁହାଯାଇଛି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ପର୍କରେ ଉଚ୍ଚତର ଶିକ୍ଷା ପ୍ରଦାନ କରାଯିବା ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯିବ।

ସାରା ଦେଶରେ ଓଡ଼ିଆ ଜାତିର ସ୍ୱତନ୍ତ୍ରତା ଓ ଓଡ଼ିଆ ଭାଷାର ମହନୀୟତା ସମ୍ପର୍କରେ ଏହା ଏକ ଉଦାହରଣ ସୃଷ୍ଟି କରିବ। ଏହି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନ ଶକ୍ତିର ପରିପୂର୍ଣ୍ଣ ବିକାଶ ସହିତ ଓଡ଼ିଆ ଭାଷାର ବ୍ୟାକରଣ, ଶବ୍ଦ ଭଣ୍ଡାର, କଥନ, ଲିଖନ ଆଦି ବିଷୟରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ବୈଠକରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସମେତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ୨୦୧୭ ଡିସେମ୍ବର ୨୬ତାରିଖରେ ପୁରୀରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ। ୨୦୧୮ ଜୁଲାଇ ମାସରେ ଏହି ବିଶ୍ୱବିଦ୍ୟାଳୟକୁ ସତ୍ୟବାଦୀରେ ୨୫ଏକର ଜମିରେ ସ୍ଥାପନ କରିବା ସମ୍ପର୍କରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ହୋଇଥିଲା। ସେବେଠୁ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ ଦିଗରେ ଆବଶ୍ୟକ ପ୍ରକ୍ରିୟା କଚ୍ଛପ ଗତିରେ ଚାଲିଛି।

 

Leave A Reply

Your email address will not be published.