ରାଜ୍ୟର ଜଙ୍ଗଲରେ ୧୦୪୮ଟି ସ୍ଥାନରେ ନିଆଁ

0

ଭୁବନେଶ୍ବର, ୧୧।୩: ବର୍ଷା ସତ୍ତ୍ୱେ ଶିମିଳିପାଳ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପ ଅଂଚଳର ୫ଟି ସ୍ଥାନରେ ନିଆଁ ଜଳୁଛି। ସେହିପରି ସମଗ୍ର ରାଜ୍ୟର ବିଭିନ୍ନ ଜଙ୍ଗଲରେ ୧୦୪୮ଟି ସ୍ଥାନରେ ନିଆଁ ଜଳୁଥିବା ନେଇ ସାଟେଲାଇଟ୍ ଚିତ୍ରକୁ ଆଧାର କରି ଭାରତୀୟ ବନ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ବୋଲି ରାଜ୍ୟସ୍ତରୀୟ ଟାସ୍କଫୋର୍ସର ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେପଟେ ଶିମିଳିପାଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଆଜି ଘଟଣାସ୍ଥଳକୁ ଯାଇଥିବା ବେଳେ କେନ୍ଦ୍ରୀୟ ଟିମ୍ ସଦସ୍ୟ ଅମିତ୍ ମଲ୍ଲିକ ମଧ୍ୟ ଶିମିଳିପାଳ ଗସ୍ତ କରିଥିବା ଜଣାପଡ଼ିଛି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି, ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଅଂଚଳ ସମେତ ସମଗ୍ର ରାଜ୍ୟରେ ନିଆଁ ଲାଗିବାକୁ ପ୍ରାୟତଃ ଆୟତ୍ତାଧୀନ କରାଯାଇଛି। ନିଆଁ ଲାଗିବା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଗତକାଲି ରାଜ୍ୟର ୪୯୭ଟି ସ୍ଥାନରେ ନିଆଁ ଜଳୁଥିବା ବେଳେ ଆଜି ୧୦୪୮ଟି ସ୍ଥାନରେ ନିଆଁ ଜଳୁଥିବା ଜଣାପଡ଼ିଛି। ଶିମିଳିପାଳରେ ବର୍ଷା ହେଉଥିବାରୁ ଗତକାଲି ୨୪-୨୫ଟି ସ୍ଥାନରେ ନିଆଁ ଜଳୁଥିବାବେଳେ ଆଜି ମାତ୍ର ୫ଟି ସ୍ଥାନରେ ନିଆଁ ଜଳୁଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୩ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଂଚଳରେ ମଧ୍ୟବର୍ତ୍ତୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯାହା ଜଙ୍ଗଲ ଅଗ୍ନି ହ୍ରାସ ପାଇଁ ସକରାତ୍ମକ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ରାଜ୍ୟ ସରକାର ସମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରିଥିବାବେଳେ ଜଙ୍ଗଲ ବିଭାଗର ଆଂଚଳିକ ଅଧିକାରୀ ଓ ବନଖଣ୍ଡ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟାସ୍କଫୋର୍ସ ଅଧ୍ୟକ୍ଷ ସବିଶେଷ ସମୀକ୍ଷା କରିଥିଲେ। ରାତ୍ରି ପାଟ୍ରୋଲିଂ ବୃଦ୍ଧି ସହ ତୁରନ୍ତ ଜଙ୍ଗଲ ନିଆଁ ଲାଗୁଥିବା ସ୍ଥାନରେ ପହଂଚି ନିଆଁକୁ ଆୟତ୍ତ କରିବାକୁ କୁହାଯାଇଛି।

ନିଆଁ ଲିଭା କାର୍ଯ୍ୟରେ ଏବେ ୮ଟି ଓଡ୍ରାଫ ଟିମର ୨୦୦ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି । ପଂଚାୟତିରାଜ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜିଲ୍ଲା ପ୍ରଶାସନ ମଧ୍ୟ ମିଳିତ ଭାବେ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.