ଓଡ଼ିଶା ଛାଡ଼ିବ ବାଘୁଣୀ ସୁନ୍ଦରୀ, ଫେରିଯିବ ମଧ୍ୟପ୍ରଦେଶ କାହ୍ନାର ‘ଘୋରେଲା’କୁ

0

ଭୁବନେଶ୍ବର, ୧୯।୩: ଓଡ଼ିଶାରୁ ଫେରିଯିବ ବାଘୁଣୀ ସୁନ୍ଦରୀ। ୩ରୁ ୪ ଦିନ ଭିତରେ ମଧ୍ୟପ୍ରଦେଶର କାହ୍ନାରୁ ସ୍ବତନ୍ତ୍ର ଟିମ୍‌ ଆସି ବାଘୁଣୀ ସୁନ୍ଦରୀ ନେଇଯିବେ। ଟିମ୍‌ର ସଦସ୍ୟମାନେ ଆସନ୍ତାକାଲି ସାତକୋଶିଆ ଆସିବେ ବୋଲି ସୂଚନା ମିଳିଛି। ଏଥିରେ ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ ୫ରୁ ୬ ଜଣ କର୍ମଚାରୀ ଅଛନ୍ତି। ଟିମ୍‌ ସଦସ୍ୟମାନେ ପ୍ରଥମେ ସାତକୋଶିଆାରେ ପହଞ୍ଚି ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ। ସୁନ୍ଦରୀ ସୁସ୍ଥ ଥିଲେ ସ୍ୱତନ୍ତ୍ର ଗାଡ଼ିରେ କାହ୍ନାର ‘ଘୋରେଲା’କୁ ନିଆଯିବ। ‘ଘୋରେଲା’ରେ ସୁନ୍ଦରୀର ବନ୍ୟ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ ହେବ। କାହ୍ନା ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୟ ସିଂହ ଏନେଇ ସୂଚନା ଦେଇଛନ୍ତି।

ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ କାହ୍ନା ଅଭାୟାରଣ୍ୟରୁ ବାଘ ଓ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଭାୟରଣ୍ୟକୁ ଅଣାଯାଇଥିଲା। ମାତ୍ର ବାଘର ମୃତ୍ୟୁ ଘଟିଥିବା ବେଳେ ବାଘୁଣୀ କୋର ଏରିଆକୁ ଯାଇନଥିଲା। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲୁଥିଲା। ଆଉ ସୁବିଧା ଦେଖି ଶିକାର ମଧ୍ୟ କରିଥିଲା। ସୁନ୍ଦରୀ ମଣିଷ ଓ ଗୋରଙ୍କୁ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୁନ୍ଦରୀକୁ ଫେରାଇ ନେବା ପାଇଁ ଦାବି ଉଠିଥିଲା। ଶେଷରେ ଗାଁ ଲୋକଙ୍କ ଦାବି ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇ ଥିଲା।

ସୁନ୍ଦରୀକୁ ଧରିବା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଅପରେସନ୍‌। ହେଲେ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଦେଖି ସୁନ୍ଦରୀ ଛପି ଯାଇଥିଲା। ମାସାଧିକ କାଳ ଖେଳ ପରେ ସୁନ୍ଦରୀ ଧରା ପଡ଼ିଥିଲା। ସୁନ୍ଦରୀ ଏବେ ବନ୍ଦୀ ଜୀବନ କାଟୁଛି। ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ବାଘୁଣୀ ସୁନ୍ଦରୀକୁ ଫେରାଇ ନେବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଥିଲେ ବନ ବିଭାଗ। ଶେଷରେ ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ଫେରାଇ ନେବା ପାଇଁ ରାଜି ହୋଇଥିଲେ।

 

Leave A Reply

Your email address will not be published.