ହୋଲି ପାଳନ ଉପରେ ଜାରି ହେଲା କଟକଣା

0

ଭୁବନେଶ୍ବର, ୧୯।୩: ଗତବର୍ଷ ଭଳି ଚଳିତ ବର୍ଷ ହୋଲି ପାଳନ ଉପରେ ଜାରି ହେଲା କଟକଣା। ସାର୍ବଜନୀନ ସ୍ଥାନରେ ହୋଲି ଖେଳିବା ମନା। ରାଜ୍ୟରେ କରୋନାର ନୂଆ ଭାଇରସ ସାର୍ସ-ସିଓଭି୨ ଚିହ୍ନଟ ହେବାପରେ ରାଜ୍ୟ ସରକାର କୋଭିଡ-୧୯ ନିରାପତ୍ତା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଚଳିତ ମାସ ଶେଷ ସପ୍ତାହରେ ହେବାକୁ ଥିବା ଦୋଳ ଯାତ୍ରା ଓ ହୋଲି ପର୍ବ ପାଳନ ଉପରେ କଟକଣା ଜାରି କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୋଭିଡ-୧୯ ବ୍ୟାପିବାର ଆଶଙ୍କା ଥିବାରୁ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ଏହି କଟକଣା ଜାରି ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ତମାମ ଦୋଳଯାତ୍ରା ପାଳନ ବେଳେ ଲୋକଙ୍କ ଗହଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନର ଚାହିଁଲେ ମନ୍ଦିର ଓ ଧାର୍ମିକ ସ୍ଥାନରେ ‘ଦୋଳ ମେଳଣ’ ପାଇଁ ନିୟମ କୋହଳ କରିପାରିବେ ଓ କୋଭିଡ୍ ଗାଇଡଲାଇନ ପାଳନ କରି କମ୍ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଏଥିନିମନ୍ତେ ଅନୁମତି ଦେଇପାରିବେ।

ସେହିପରି ଆସନ୍ତା ୨୮ ଓ ୨୯ ତାରିଖରେ ହୋଲି ପଡ଼ୁଥିବାରୁ ଏହା ସମଗ୍ର ରାଜ୍ୟରେ ସାର୍ବଜନୀନ ସ୍ଥାନରେ ପାଳନ ହେବ ନାହିଁ। ଲୋକମାନେ ନିଜ ଘର ଭିତରେ ରହି ହୋଲି ଖେଳିପାରିବେ। କିନ୍ତୁ ରାସ୍ତାଘାଟ କିମ୍ବା ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ପାଇଁ ଅନୁମତି ଦିଆଯିବ ନାହିଁ। ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନେ ଚାହିଁଲେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ନିୟମ କଡ଼ାକଡ଼ି କରିପାରିବେ। ଯେଉଁମାନେ ଏହି ନିର୍ଦ୍ଦେଶନାମା ଓ କଟକଣାକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୁଦ୍ଧରେ ମହାମାରୀ ପରିଚାଳନା ଆଇନ-୨୦୦୫ ଅନୁସାରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.