ଫୋକସ୍‌ରେ ପଶ୍ଚିମ ଓଡ଼ିଶା: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

0

ଭୁବନେଶ୍ବର, ୬।୪: ରାଜ୍ୟରେ କୋଭିଡ୍ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଇ ଆଜି ୬୦୦ରେ ପହଂଚିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ କରୋନା ମହାମାରୀ ଏବେ ଅଧିକ ବ୍ୟାପୁଥିବାରୁ ସେସବୁ ଅଂଚଳ ଉପରେ ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷ କରି ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକୁ ଗସ୍ତ କରି ସେଠାରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ଓ ବାସ୍ତବ ସ୍ଥିତି ପରଖି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶାରେ ତୁରନ୍ତ ଡାକ୍ତର, ପାରାମେଡିକାଲ କର୍ମଚାରୀ, ଲ୍ୟାବ ଟେକନିସିଆନ ଆଦି କର୍ମଚାରୀଙ୍କୁ ତୁରନ୍ତ ପୁନଃମୁତୟନ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀର ମୁକାବିଲା ପାଇଁ ସେଠାରେ ଆବଶ୍ୟକ ମାନବ ସମ୍ବଳ ବ୍ୟବସ୍ଥା ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋଭିଡ୍‌ର ସମସ୍ତ ଗାଇଡଲାଇନକୁ ପୁଣି ଥରେ ସକ୍ରିୟ କରି ଶାସନ କଳକୁ ଏହାର ମୁକାବିଲା ଦିଗରେ ନିୟୋଜିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଦଫାରେ ଆସିଥିବା କରୋନା ମହାମାରୀକୁ ଓଡ଼ିଶା ସଫଳ ଭାବେ ନିୟନ୍ତ୍ରଣ କରିଥିଲା ବୋଲି କହିଛନ୍ତି।

ସେ କହିଛନ୍ତି ଯେ, କୋଭିଡ୍ ନିରାପତ୍ତା ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଓ ମହାମାରୀ ସଂକ୍ରମଣକୁ ରୋକିବା ନିମନ୍ତେ ସମଗ୍ର ରାଜ୍ୟରେ ପୁଲିସ ଦ୍ୱାରା ୧୦ଦିନିଆ ସ୍ୱତନ୍ତ୍ର ଅଭିଯାନ ଚଳାଇବା ନିମନ୍ତେ ପୁଲିସ ଡିଜିଙ୍କୁ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୂଲ୍ୟବାନ ଜୀବନଗୁଡ଼ିକ ବିପଦରେ ଥିବାରୁ ଆତ୍ମସନ୍ତୋଷ ପାଇଁ କୌଣସି ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କରୋନା ମୁକାବିଲା ପାଇଁ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ କ୍ଷମତା ବୃଦ୍ଧିର ଆବଶ୍ୟକତା ରହିଛି । ଅଧିକ ପ୍ରଭାବିତ ଅଂଚଳରେ ଅକ୍ସିଜେନ୍ ସୁବିଧା ସହ ଆମ୍ବୁଲାନ୍ସ ସଂଖ୍ୟା ପର୍ଯ୍ୟାପ୍ତ ରହିବା ଓ ସେସବୁର ଠିକ୍ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ହସ୍ପିଟାଲରେ ବେଡ୍ ଅଭାବ କିମ୍ବା ଆମ୍ବୁଲାନ୍ସ ଠିକ୍ ସମୟରେ ଆସିଲାନି ଭଳି ଅଭିଯୋଗ ଯେପରି ନଆସେ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଲୋକଙ୍କୁ ମାସ୍କ, ହାତ ପରିଷ୍କାର ରଖିବା ଓ ସାମାଜିକ ଦୂରତ୍ୱ ବଜାୟ ନିମନ୍ତେ ସଚେତନ କରାଇବାକୁ ଆବଶ୍ୟକ ସଚେତନତା ଅଭିଯାନ ଆରମ୍ଭ ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ସଚେତନତା ଓ ଗାଇଡଲାଇନ୍ କଡ଼ାକଡ଼ି ପାଳନ ପାଇଁ ଜିଲ୍ଲାପାଳମାନେ ନିର୍ବାଚିତ ପଂଚାୟତ ସଦସ୍ୟ, ମିଶନ ଶକ୍ତି ଗୋଷ୍ଠୀ ଆଦି ସମେତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସତର୍କ ନହେବା ତା’ହେଲେ କରୋନାର ଏହି ନୂଆ ଭାଇରସ୍ ଅଧିକ ସଂକ୍ରମଣ କରିବା ସହ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିବ। ରାଜ୍ୟ ସରକାର ଆନୁଷ୍ଠାନିକ ଓ ବ୍ୟକ୍ତିଗତ ସ୍ତରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ରାଜ୍ୟବାସୀ ମଧ୍ୟ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ସହ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ବିଭାଗକୁ ସହଯୋଗ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି।

ଭର୍ଚୁଆଲ ମୋଡରେ ହୋଇଥିବା ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବ, ଉନ୍ନୟନ ସଚିବ, ସ୍ୱାସ୍ଥ୍ୟ ସଚିବ, ଫାଇଭ-ଟି ସଚିବଙ୍କ ସମେତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

 

Leave A Reply

Your email address will not be published.