ବ୍ରହ୍ମପୁର ଜେଲ୍‌ରେ ୪୮ କରୋନା ପଜିଟିଭ ଚିହ୍ନଟ

0

ବ୍ରହ୍ମପୁର,୧୪/୦୫: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବା ବେଳେ ଜେଲ୍‌ରେ ମଧ୍ୟ କରୋନା ୨ୟ ଲହର ଦେଖିବାକୁ ମିଳିଛି । ଜିଲ୍ଲାରେ ବ୍ରହ୍ମପୁର ସର୍କଲ୍‌ ଜେଲ୍‌ ସହ ୮ଟି କାରାଗାର ରହିଛି । ପାତ୍ରପୁର ଜେଲ୍‌ ଅଚଳ ଥିବା ବେଳେ ଅନ୍ୟ ୭ଟି ଜେଲ୍‌ କାର୍ଯ୍ୟକ୍ଷମ ରହିଛି । ବ୍ରହ୍ମପୁର ଜେଲ୍‌ ସହ ଛତ୍ରପୁର, ଦିଗପହଣ୍ଡି ଓ ଭଞ୍ଜନଗର ଜେଲ୍‌ରେ ୬୧ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ବ୍ରହ୍ମପୁରରେ ୪୮ଜଣ ପଜିଟିଭ୍‌ ରହିଥିବା ବେଳେ ଛତ୍ରପୁରରେ ୪, ଦିଗପହଣ୍ଡିରେ ୩ ଓ ଭଞ୍ଜନଗରରେ ୭ଜଣ କଏଦୀ ପଜିଟିଭ୍‌ ବାହାରିଛନ୍ତି । ବ୍ରହ୍ମପୁର ଜେଲ୍‌ରେ ଥଣ୍ଡା ଓ ଜ୍ୱର ଥିବା ୮୨ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରେ ୪୮ ଜଣ ପଜିଟିଭ୍‌ ରହିଥିବା ଜେଲ୍‌ର୍‌ ସତ୍ୟନାରାୟଣ ବେହେରା ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ସର୍କଲ୍‌ ଜେଲ୍‌ରେ ଗୁରୁବାର ସୁଦ୍ଧା ୯୪୪ ଜଣ କଏଦୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨୧୦ଜଣ ଆଜୀବନ ବନ୍ଦୀ ରହିଛନ୍ତି । ପଜିଟିଭ୍‌ ବାହାରିଥିବା ୪୮ଜଣଙ୍କ ମଧ୍ୟରେ ଦୁଇଜଣ ଆଜୀବନ ବନ୍ଦୀ ଓ ଦୁଇଜଣ ବିଭିନ୍ନ ମାମଲାରେ ସଜା କାଟୁଛନ୍ତି । କରୋନା ରୋଗୀଙ୍କୁ ଜେଲ୍‌ ଭିତରେ ହିଁ ଚିକିତ୍ସା କରାଯିବ । ଏଥିପାଇଁ ଜେଲ୍‌ ଭିତରେ ଶହେ ଶଯ୍ୟାର ଡେଡିକେଟେଡ୍‌ କୋଭିଡ୍‌ କେୟାର ସେଣ୍ଟର କରାଯାଇଛି । ଏହି ଡିସିସିର ଦାୟିତ୍ୱରେ ରହିଛନ୍ତି ବ୍ରହ୍ମପୁର ତହସିଲଦାର ସିପକ କୁମାର ପାତ୍ର । ଅଧିକ ଡାକ୍ତର ମଧ୍ୟ ନିଯୁକ୍ତ ହୋଇଥିବା କହିଛନ୍ତି ଜେଲର୍‌ ବେହେରା ।

ଜେଲ୍‌ ଭିତରେ କୋଭିଡ୍‌କୁ ରୋକିବାକୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଯେମିତି ଅଧିକ ବନ୍ଦୀ ସଂକ୍ରମିତି ନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ବୋଲି ସେ କହିଛନ୍ତି । ସମସ୍ତ ବନ୍ଦୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି ଏବଂ କୋଭିଡ୍‌ ନିୟମ ମାନିବାକୁ ପରାମର୍ଶ ଦିଆଯାଉଛି । ବନ୍ଦୀଙ୍କ ସାକ୍ଷାତକାର ବନ୍ଦ ରହିଥିବା ବେଳେ ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ କରୋନା ପରୀକ୍ଷା କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ନୂଆରେ ଜେଲ୍‌କୁ ଆସୁଥିବା ବନ୍ଦୀଙ୍କୁ ପ୍ରଥମେ ଆଇସୋଲେସନ୍‌ରେ ରଖାଯାଉଛି । ୭ଦିନ ପରେ ସେମାନଙ୍କୁ ୱାର୍ଡକୁ ପଠାଯାଉଛି ବୋଲି ଜେଲର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.