ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ

ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିକାଶ ଆମର ଦାୟିତ୍ୱ: ଧର୍ମେନ୍ଦ୍ର

0

ଭୁବନେଶ୍ବର, ୨୮।୬: କେବଳ ରାଜନୀତି କରିବା ନୁହେଁ ବରଂ ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିକାଶ କରିବା ଆମର ଦାୟିତ୍ୱ । ଆମର ମହାପ୍ରଭୁ ବଡ, ଆମର ବିଚାର ବି ବଡ଼ ହେବା ଦରକାର । ଏଭଳି କଳ୍ପନା କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସୋମବାର ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବିଜେପିର କାର୍ଯ୍ୟକର୍ତ୍ତାମାନେ ଜଣେ ରାଜନୈତିକ ଓ ସାମାଜିକ କର୍ମୀ ଭାବରେ କେବଳ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ନୁହେଁ ବରଂ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବା ପାଇଁ, ରାଜ୍ୟକୁ ଦାରିଦ୍ର୍ୟରୁ ମୁକ୍ତି ଦେବା ପାଇଁ ଏବଂ ରୋଜଗାର ବଢ଼ାଇବା ପାଇଁ ତଥା ସାମାଜିକ ଗଣମାଧ୍ୟମରେ ଯୋଡ଼ିହୋଇ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ କାମ କରିବା ଦରକାର । ଏଥିପାଇଁ କାର୍ଯ୍ୟକର୍ତ୍ତାମାନେ ଆଞ୍ଚଳିକ ସ୍ତରରେ ଲକ୍ଷାଧିକ ଲୋକଙ୍କୁ ଯୋଡ଼ି ଦଳୀୟ ସଂଗଠନକୁ ମଜବୁତ୍ କରିବାର ଆବଶ୍ୟକତା ରହିଛି ।

ଭାରତୀୟ ଜନତା ପାର୍ଟି ଦେଶରେ ସବୁଠୁ ପ୍ରଭାବଶାଳୀ ଜନଆନ୍ଦୋଳନର ରୂପ ନେଇସାରିଛି । ଓଡ଼ିଶାରେ ମଧ୍ୟ ବିଗତ ବର୍ଷ ଧରି ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଅନୁମେୟ କଲେ ବିଜେପି ପ୍ରତି ଲୋକମାନଙ୍କ ବିଶ୍ୱାସ ବଢ଼ିଛି । 2014ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳର ଲୋକପ୍ରିୟତା ବଢ଼ିଛି । ଆଗକୁ ମଧ୍ୟ ଆମକୁ ସ୍ଥାନୀୟ ନିର୍ବାଚନ ଏବଂ ସଂଗଠନ ଉପରେ ଯୋରଦେବାକୁ ପଡ଼ିବ । ଆଜିର ବୈଠକରେ ପ୍ରସ୍ତୁତ ହୋଇଥିବା ଆଗାମୀ ଦିନର ରଣନୀତି ଦଳ ପାଇଁ ବେଞ୍ଚମାର୍କ ଏବଂ ନିର୍ଣ୍ଣାୟକ ହେବ ।

କାର୍ଯ୍ୟକର୍ତ୍ତାମାନେ ସମସ୍ତେ ନିଜେ ନିଜେ ଆତ୍ମସମୀକ୍ଷା କରିବା ଦରକାର । କେବଳ କ୍ଷମତାର ଦାୟିତ୍ୱ ଏବଂ ପଦପଦବୀରେ ବସିବା ନୁହେଁ ବରଂ ବଡ ଲକ୍ଷ୍ୟ ନେଇ ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ମୂଳ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ ହେବା ଦରକାର । ଏଥିପାଇଁ ସମସ୍ତେ ଗୁଣ୍ଡୁଚି ମୂଷା ଭଳି ଧୂଳି ଝାଡ଼ିବା କାମରେ ଲାଗିବା ଦରାକାର । କେବଳ ବିଧାୟକ, ସାଂସଦ ହେବା ପାଇଁ ନୁହେଁ, ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ପୃଥିବୀର ଏକ ଆକର୍ଷଣୀୟ ଅଞ୍ଚଳ ଭାବେ ଗଢ଼ିତୋଳିବା ପାଇଁ ଆମର ଦାୟିତ୍ୱ ଅଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ସମ୍ବେଦନଶୀଳ ନେତୃତ୍ୱ କାରଣରୁ ଓଡ଼ିଶାକୁ ସର୍ବାଧିକ ପ୍ରଧାନ୍ୟ ଦିଆଯାଇଛି । ଓଡ଼ିଶାର ପୁନନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଜୀଙ୍କ ସ୍ଲୋଗାନକୁ ବିଜେପି ଅକ୍ଷରେ ଅକ୍ଷରେ ପାଳନ କରିଆସିଛି । ବର୍ତ୍ତମାନ ସମୟରେ ଅର୍ଥନୀତି ଏକ ଚ୍ୟାଲେଞ୍ଜ ପିରିୟଡ ଦେଇ ଗତିକରୁଥିବା ବେଳେ ଦେଶରେ ଟିକାକରଣ ପ୍ରାସଙ୍ଗିକ ହୋଇଛି । ଦେଶରେ ସାମାନ୍ୟ ଘରର ଲୋକ ଆଜି ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ଦେଶର ନାଗରିକମାନେ ତାଙ୍କୁ ପସନ୍ଦ କରୁଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ ବିରୋଧୀଙ୍କ ପକ୍ଷରୁ ଅପପ୍ରଚାର ଭ୍ରମ ତିଆରି କରାଯାଉଛି । ଏହାକୁ ପ୍ରତିହତ କରିବାର ଦାୟିତ୍ୱ ଗାଁର ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତା ମାନଙ୍କର ।

କରୋନା ମୁକବିଲାରେ ବିଶ୍ୱ ପାଇଁ ଏକ ନୂଆ ମଡେଲ ପ୍ରଧାନମନ୍ତ୍ରୀ ତିଆରି କରିଛନ୍ତି । ଏକବିଂଶ ଶତାବ୍ଦୀରେ ଭାରତକୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ିବାର ଏକମାତ୍ର ନେତୃତ୍ୱ ହେଉଛନ୍ତି ମୋଦି । ଭାରତର 33 କୋଟି ଲୋକଙ୍କୁ ଟିକା ଦିଆ ସରିଲାଣି । ପ୍ରଧାନମନ୍ତ୍ରୀ ଦେଶର ବିଚାର ଭାବେ ତିଆରି ହୋଇଛନ୍ତି । ସମସ୍ତଙ୍କୁ ସାଙ୍ଗରେ ନେବା, ସମସ୍ତଙ୍କ ବିକାଶ କରାଇବା, ସମସ୍ତଙ୍କର ବିଶ୍ୱାସ ଜିତିବା, ଏହାର ପ୍ରତୀକ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଓଡ଼ିଆ ଲୋକଙ୍କ ପ୍ରତି ଆଶକ୍ତି ଓ ସମ୍ମାନ ଥିବା କାରଣରୁ ଗତକାଲି ପ୍ରଧାନମନ୍ତ୍ରୀ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ଦକ୍ଷ ପ୍ରଶାସକ ଗୁରୁପ୍ରସାଦ ମହାପାତ୍ରଙ୍କ ସ୍ମୃତିଚାରଣ କଲେ । ଓଡ଼ିଆ ଅସ୍ମିତା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଯୋଡ଼ି ହୋଇରହିଛି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆଙ୍କ ପ୍ରତି ଥିବା ଭଲପାଇବାକୁ ଘରେ ଘରେ ପହଞ୍ଚାଇବାକୁ ହେବ । ଆମେ ଏକବିଂଶ ଶତାବ୍ଦୀରେ ଆଧୁନିକ, ସାମାଜିକ ପରିବର୍ତ୍ତନର ବାହାକ । ମୋଦି ତତ୍ୱର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ବାହାକ । ଆମର ଶୈଳି, ଆମର ନେତୃତ୍ୱକୁ ନେଇ ସମାଜରେ ଆଦର୍ଶ ତିଆରି କରିବାର ଆବଶ୍ୟକତା ରହିଛି । ଆମର ପୁର୍ବପୁରୁଷ ଓ ଓଡ଼ିଆ ଜାତିକୁ ଆଗକୁ ନେବାର ଓ ପ୍ରତିଷ୍ଠିତ କରିବାର ଦାୟିତ୍ୱ ଆମର । ଯୋଗ୍ୟ ସାମାଜିକ ବ୍ୟକ୍ତି, ଆଧୁନିକ, ପ୍ରଭାବଶାଳୀ, ସମ୍ବେଦନଶୀଳ, ଦାୟିତ୍ୱବାନ ହେବାକୁ ପଡ଼ିବ । ଏଥିପାଇଁ ଆମେ ସମସ୍ତେ ଆଗାମୀ ଦିନରେ ରଣନୀତି ପ୍ରସ୍ତୁତ କରିବା ଦରକାର ।

ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କ ସହ ଯୋଡ଼ିହୋଇ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ସେବା କରନ୍ତୁ । ଲୋକଙ୍କ ସମସ୍ୟା ଓ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ମୂଳତଃ ଓଡ଼ିଶାର ପରବର୍ତ୍ତିତ ରାଜନୀତିରେ ଭାରତୀୟ ଜନତା ପାର୍ଟି ଏକବିଂଶ ଶତାବ୍ଦୀରେ ଏକ ସଶକ୍ତ, ରାଜନୈତିକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ସାଢେ ଚାରି କୋଟି ଓଡ଼ିଆଙ୍କ ବିକାଶ ପାଇଁ କାମ କରିବାକୁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

 

Leave A Reply

Your email address will not be published.