ଭୁବନେଶ୍ୱର,୨୭।୭: ପଦ୍ମ ପୁରସ୍କାର ଲାଗି ରାଜ୍ୟର ୩ ଜଣ ବିଶିଷ୍ଟ ଶିଳ୍ପୀଙ୍କ ନାମ ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ସୁପାରିସ କରାଯାଇଛି। ଭାସ୍କର୍ଯ୍ୟ ଶିଳ୍ପ ପାଇଁ ୨୦୧୨ରେ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ପାଇଥିବା ଯାଜପୁର ଛତିଆର ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା, ଉଭୟ ପ୍ରସ୍ତର ଓ କାଠ ଶିଳ୍ପ ପାଇଁ ୨୦୧୬ରେ ଶିଳ୍ପୀଗୁରୁ ପୁରସ୍କାର ପାଇଥିବା କଟକ ଲଳିତଗିରି ଗ୍ରାମର ବିଶିଷ୍ଟ ଶିଳ୍ପୀ କଳ୍ପତରୁ ମହାରଣା ଏବଂ ଗଞ୍ଜାମର କାଠ ଶିଳ୍ପୀ ଅରୁଣ କୁମାର ସାହୁଙ୍କ ନାମ ସୁପାରିସ ହୋଇଥିବା ସୂଚନା ମିଳିଛି।
ବିଖ୍ୟାତ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଶିଷ୍ୟ କଳ୍ପତରୁ ୧୯୮୫ରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର, ୨୦୧୨ରେ ଜାତୀୟ ପୁରସ୍କାର, ୨୦୧୬ରେ ରାଜ୍ୟ ଲଳିତ କଳା ଏକାଡେମି ପୁରସ୍କାର, ୨୦୧୮ରେ ବରିଷ୍ଠ ଶିଳ୍ପୀ ସମ୍ମାନ ଲାଭ କରିଛନ୍ତି। ବର୍ଷୀୟାନ ଶିଳ୍ପୀ କଳ୍ପତରୁଙ୍କ ପାଖରୁ ଅନେକ ଯୁବଶିଳ୍ପୀ ପ୍ରଶିକ୍ଷଣ ଲାଭ କରି ଏବେ ଭାସ୍କର୍ଯ୍ୟ କାରିଗରୀ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି ।