ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷାରେ ଅନିୟମିତତା

୬ଟି ରାଜ୍ୟର ୧୯ଟି ସ୍ଥାନରେ ସିବିଆଇ ରେଡ୍

0

ନୂଆଦିଲ୍ଲୀ, ୨।୯: ଦେଶରେ ଚାଲିଥିବା ଜେଇଇ(ମେନ୍‌) ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଯାଇଛି ସିବିଆଇ। ଆଜି ସିବିଆଇର ଏକାଧିକ ଟିମ୍‌ ଦିଲ୍ଲୀ-ଏନସିଆର, ଇନ୍ଦୋର, ପୁନେ, ବେଙ୍ଗାଲୁରୁ ଓ ଜାମସେଦପୁର ଭଳି ୬ଟି ରାଜ୍ୟର ୧୯ଟି ସ୍ଥାନରେ ରେଡ୍‌ କରିଛି। ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ। ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ ଆଫିନିଟି ଏଜୁକେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସମେତ ଏହାର ନିର୍ଦ୍ଦେଶକ ସିଦ୍ଧାର୍ଥ କ୍ରିଷ୍ଣା, ବିଶ୍ୱମ୍ବର ମଣି ତ୍ରିପାଠୀ ଓ ଗୋବିନ୍ଦ ଭିଙ୍କ ନାମରେ ମାମଲା ରୁଜୁ କରିଛି। ଏହି ଇନ୍‌ଷ୍ଟିଚ୍ୟୁସନ ଓ ଏହାର କର୍ମଚାରୀମାନେ ଜେଇଇ(ମେନ୍ସ) ପରୀକ୍ଷାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି।

ଏଫ୍‌ଆଇଆର୍‌ ଅନୁସାରେ, ଅଭିଯୁକ୍ତମାନେ ଅନ୍‌ଲାଇନ ଜେଇଇ(ମେନ) ପରୀକ୍ଷାରେ ହେରଫେର କରିଥିଲେ ଓ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଏନ୍‌ଆଇଟିଗୁଡ଼ିକରେ ନାମ ଲେଖାଇବାରେ ସହଯୋଗ କରିଥିଲେ। ହରିଆଣାର ସୋନେପତରେ ଥିବା ଗୋଟିଏ ପରୀକ୍ଷା କେନ୍ଦ୍ରରୁ ଏମାନେ ରିମୋଟ ଦ୍ୱାରା ପ୍ରଶ୍ନଗୁଡ଼ିକ ସମାଧାନ କରି ପରୀକ୍ଷାର୍ଥୀଙ୍କୁ ସବୁ ପ୍ରକାରର ସହାୟତା କରିଥିଲେ। ଏହାବାଦ୍‌ ସିକ୍ୟୁରିଟି ବାବଦକୁ ଅଭିଯୁକ୍ତମାନେ ଆଶାୟୀଙ୍କ ଦଶମ, ଦ୍ୱାଦଶ ଶ୍ରେଣୀ ମାର୍କସିଟ୍‌, ୟୁଜର ଆଇଡି, ପାସୱାର୍ଡ ଓ କିଛି ଆଗକୁ ତାରିଖ ଥିବା ଚେକ୍‌ଗୁଡ଼ିକୁ ନିଜ ପାଖରେ ରଖୁଥିଲେ। ପିଲାମାନଙ୍କ ନାମ ଲେଖା ହୋଇଯିବା ପରେ ସେମାନେ ଏହା ବଦଳରେ ଜଣଙ୍କ ପିଛା ୧୨ରୁ ୧୫ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଆଜି ସିବିଆଇ ପକ୍ଷରୁ ୬ଟି ରାଜ୍ୟର ୧୯ଟି ସ୍ଥାନରେ ରେଡ୍‌ କରାଯାଇଛି। ଏହି ସମୟରେ ୧୫ଟି ଲ୍ୟାପଟପ୍‌, ୭ଟି ପିସି, ୩୦ଟି ଆଗୁଆ ତାରିଖ ଥିବା ଚେକ୍‌ ଓ ବିଭିନ୍ନ ପ୍ରକାରର ଦସ୍ତାବିଜ ଜବତ କରାଯାଇଛି। ସିବିଆଇ ପକ୍ଷରୁ ଅନେକ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।

Leave A Reply

Your email address will not be published.