ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ

0

ଭୁବନେଶ୍ବର, ୨୫।୨: ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ସୁନିତା ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶ୍ରୀ ବିଶ୍ୱାଳ ରାଜ୍ୟର ଏକମାତ୍ର ଆଦିବାସୀ ନେତା ଯିଏ ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୯ ମସିହା ଡିସେମ୍ବର ୭ରୁ ୧୯୯୦ ମାର୍ଚ୍ଚ ୫ତାରିଖ  ପର୍ଯ୍ୟନ୍ତ ପ୍ରାୟ ୩ ମାସ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯୯୯ ଡିସେମ୍ବର ୬ରୁ ୨୦୦୦ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ପ୍ରାୟ ୮ ମାସ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନବୀନ ପଟ୍ଟନାୟକ ତୁଲାଉଛନ୍ତି ।

୭୦ଦଶକରେ  ପଂଚାୟତ ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ବିଶ୍ୱାଳ ୧୯୭୪ ମସିହାରେ ପ୍ରଥମଥର ବିଧାୟକ ହୋଇଥିଲେ । ସେ ୨୦୦୯ ମସିହାରେ ସୁନ୍ଦରଗଡ଼ରୁ ସାଂସଦ ଭାବେ ମଧ୍ୟ ବିଜୟୀ ହୋଇଥିଲେ । ସେ ଜଣେ ବରିଷ୍ଠ ଆଦିବାସୀ ନେତା ଭାବେ କଂଗ୍ରେସରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି।

୧୯୩୯ ଡିସେମ୍ବର ୧ରେ ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଶ୍ରୀ ବିଶ୍ୱାଳଙ୍କ ମୃତ୍ୟୁରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ  ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ବିଶ୍ୱାଳଙ୍କର ଦୁଇ ଝିଅ ସୁନିତା ଓ ଅମିତା ଏବେ ରାଜନୀତିରେ ସକ୍ରିୟ ଅଛନ୍ତି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.