ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରି

ୟୁଜିସି ଓ ଏଆଇସିଟିଇ ଜାରି କଲେ ବିଜ୍ଞପ୍ତି

0

ଭୁବନେଶ୍ବର, ୨୩।୪: ପାକିସ୍ତାନରେ ପାଠ ପଢିଲେ ଭାରତରେ ଚାକିରି ମିଳିବନି। ପାକିସ୍ତାନ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପାକିସ୍ତାନରେ ବଢ଼ିଲେ ଦେଶର ନାଗରିକ ଓ ପ୍ରବାସୀମାନଙ୍କୁ ଚାକିରି ସହ ଉଚ୍ଚଶିକ୍ଷାର ବି ସୁଯୋଗ ମିଳିବ ନାହିଁ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ନିର୍ଦ୍ଦେଶ ଦିଆଯାଇଛି।

ୟୁଜିସି ଓ ଏଆଇସିଟିଇ ପକ୍ଷରୁ ମିଳିତ ଭାବେ କୁହାଯାଇଛି ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ, ନଚେତ୍ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ହେବେ ନାହିଁ। ସମସ୍ତ ଭାରତୀୟ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯଦି ପାକିସ୍ତାନରେ ହାସଲ କରିଥିବା ଏଭଳି ଶିକ୍ଷାଗତ ଯୋଗ୍ୟତା ଆଧାରରେ ଭାରତରେ କୌଣସି ଚାକିରି ପାଇଁ ଆବେଦନ କରିବେ ବା ଉଚ୍ଚଶିକ୍ଷା କରିବାକୁ ଆବେଦନ କରିବେ ତେବେ ତାଙ୍କୁ ଅନୁମତି ମିଳିବ ନାହିଁ।

ତେବେ ପାକିସ୍ତାନରୁ ଯେଉଁମାନେ ଭାରତ ଆସିଛନ୍ତି ସେମାନଙ୍କୁ ଏହି ନିର୍ଦ୍ଦେଶନାମାରୁ ମୁକ୍ତ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ସେହିଭଳି ଆଡଭାଇଜାରୀ ଜାରି କରି କୁହାଯାଇଛି ଯେ ଯେଉଁ ପ୍ରବାସୀମାନେ ତଥା ସେମାନଙ୍କ ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରି ହାସଲ କରିଛନ୍ତି ଏବଂ ସେମାନଙ୍କୁ ଭାରତ ସରକାର ନାଗରିକତ୍ୱ ପ୍ରଦାନ କରିଛନ୍ତି, ସେମାନେ ଗୃହ ମନ୍ତ୍ରାଳୟର ସୁରକ୍ଷା ମଞ୍ଜୁରୀ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ’।

ସୂଚନା ଥାଉ କି କିଛି ଦିନ ତଳେ ଉଭୟ ୟୁଜିସି ଓ ଏଆଇସିଟିଇ ମିଳିତ ଆଡଭାଇଜାରୀ ଜାରି କରି କହିଥିଲେ ଯେ ଭାରତୀୟ ଛାତ୍ରଛାତ୍ରୀମାନେ ଚୀନର ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ ନିଅନ୍ତୁ ନାହିଁ। କୋଭିଡ-୧୯ ମହାମାରୀ ପରେ ଚୀନ୍ ସରକାରଙ୍କ ଦ୍ୱାରା ଯାତ୍ରା ପ୍ରତିବନ୍ଧକ ଲାଗୁ ହେବା ପରେ ଏହି ଆଡଭାଇଜାରୀ ଆସିଥିଲା ।

 

Leave A Reply

Your email address will not be published.