ଡିସେମ୍ବରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିବେ ନାକ୍‌ ଟିମ୍

0

କଟକ,୧୫/୦୫: ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଏସନ୍‌ କାଉନସିଲ (ନାକ୍‌)ର ଏକ ପ୍ରତିନିଧି ଦଳ ଆସନ୍ତା ଡିସେମ୍ବରର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିବେ । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଏବଂ ଶିକ୍ଷା ବ୍ୟବସ୍ଥାକୁ ଉକ୍ତ ଟିମ୍‌ ଅନୁଧ୍ୟାନ କରିବେ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ନାକ୍‌ ୱେବ୍‌ସାଇଟରେ ଆନୁଆଲ୍‌ କ୍ୱାଲିଟି ଆସ୍ୟୁରାନ୍ସ ରିପୋର୍ଟ (ଏକ୍ୟୁଏଆର୍‌)କୁ ଏପ୍ରିଲ’ ୩୦ ତାରିଖରେ ଦାଖଲ କରାଯାଇଛି । ସେଲ୍ଫ ଷ୍ଟଡି ରିପୋର୍ଟ (ଏସ୍‌ଏସ୍‌ଆର୍‌) ପାଇଁ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ବରିଷ୍ଠ ଅଧ୍ୟାପକ ଏବଂ ଅଧିକାରୀମାନେ ରହିଥିବା ବେଳେ ଆଉ ଦୁଇ ମାସ ଅର୍ଥାତ୍‌ ଜୁନ୍‌ରେ ଉକ୍ତ କମିଟି ଏସ୍‌ଏସ୍‌ଆର ରିପୋର୍ଟକୁ ନାକ୍‌ ନିକଟରେ ଦାଖଲ କରିବେ ବୋଲି ବିଶ୍ୱବିଦ୍ୟାଳୟର ନାକ୍‌ କୋର୍ଡ଼ିନେଟର ପ୍ରଫେସର ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ରିପୋର୍ଟ ତଦାରଖ କରିବା ପରେ ଏହାର ୫ ମାସ ପରେ ଅର୍ଥାତ ଡିସେମ୍ବର ମାସରେ ନାକ୍‌ ଟିମ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଆସିବେ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ସୂଚନା ଅନୁଯାୟୀ ୨୦୧୬ ଡିସେମ୍ବର ମାସରେ ନାକ୍‌ର ଏକ ପ୍ରତିନିଧି ଦଳ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ଉକ୍ତ ଟିମ୍‌ ବିଶ୍ୱବିଦ୍ୟାଳୟରେ ବୁଲିବା ସହ ବିଭିନ୍ନ ମାନଦଣ୍ଡ ଉପରେ ଅନୁଧ୍ୟାନ କରିଥିଲେ । ଏହାପରେ ରେଭେନ୍ସାକୁ ନାକ୍‌ ପକ୍ଷରୁ ‘ଏ’ ଗ୍ରେଡ ମାନ୍ୟତା ମିଳିଥିଲା । ଏହି ମାନ୍ୟତାର ବୈଧତା ୫ ବର୍ଷ ରହିଥିଲା । ଯାହା ୨୦୨୧ ଡିସେମ୍ବର ୧୬ ତାରିଖରୁ ଶେଷ ହୋଇସାରିଛି ।

ନିୟମାନୁଯାୟୀ ବୈଧତା ଶେଷ ହେବାର ୬ ମାସ ମଧ୍ୟରେ ନାକ୍‌କୁ ଏସ୍‌ଏସ୍‌ଆର୍‌ ରିପୋର୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯିବା କଥା । ମାତ୍ର ଏକ୍ୟୁଏଆର୍‌ ପ୍ରସ୍ତୁତ ହୋଇପାରି ନ ଥିବାରୁ ଏହା ବିଳମ୍ବ ହୋଇଥିଲା । ଏବେ କୁଳପତିଙ୍କ ତତ୍ତ୍ୱାବଧାନରେ ଏକ୍ୟୁଏଆର ପ୍ରସ୍ତୁତ କରାଯାଇ ନାକ୍‌କୁ ପଠାଯାଇଛି । ଏହାପରେ ନାକ୍‌ ଟିମ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ନିମନ୍ତେ ପଞ୍ଜିକରଣ କରିବେ । ଅନୁଧ୍ୟାନ ପରେ ରେଭେନ୍ସାକୁ ଯଦି ‘ଏ’ ପ୍ଲସ୍‌ କିମ୍ବା ‘ଏ’ ପ୍ଲସ୍‌ ପ୍ଲସ୍‌ର ମାନ୍ୟତା ମିଳେ ତାହେଲେ ଅଧିକ ପରିମାଣରେ କେନ୍ଦ୍ରୀୟ ଅନୁଦାନ ମିଳିବ । ଏ ସଂକ୍ରାନ୍ତ ବିଶ୍ୱବିଦ୍ୟାଳୟର ନାକ୍‌ ସଂଯୋଜକ ପ୍ରଦୀପ୍ତ ମହାପାତ୍ରଙ୍କ କହିବା କଥା ହେଲା ନାକ ଟିମ୍‌ର ପରିଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏକ୍ୟୁଏଆର୍‌ ରିପୋର୍ଟ ଦିଆସରିଥିବା ବେଳେ ଏସ୍‌ଏସ୍‌ଆର୍‌ ରିପୋର୍ଟ ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତା ଜୁନ୍‌ ଭିତରେ ଏହି ରିପୋର୍ଟ ପଠାଯିବା ପାଇଁ ସ୍ଥିର କରାଯାଇଛି ବୋଲି କହିଥିଲେ ।

Leave A Reply

Your email address will not be published.