ପ୍ରଗତି ମୈଦାନ ଟନେଲ୍‌ ଓ ୫ଟି ଅଣ୍ଡରପାସ୍‌କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ, ୧୯।୬: ରାଜଧାନୀ ଦିଲ୍ଲୀରେ କମିବ ଟ୍ରାଫିକ୍‌ ସମସ୍ୟା। ଆଜି ଦିଲ୍ଲୀର ପ୍ରଗତି ମୈଦାନ ଟନେଲ୍‌ ଓ ୫ଟି ଅଣ୍ଡରପାସ୍‌କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦଘାଟନ ପରେ ସାଧାରଣ ଜନତାଙ୍କ ଗମନାଗମନ ପାଇଁ ଅଣ୍ଡରପାସ୍‌ ରାସ୍ତା ଖୋଲି ଦିଆଯାଇଛି। ଯାହା ଫଳରେ ଦିଲ୍ଲୀର ଉତ୍କଟ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ।

୯୨୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଟନେଲ୍‌ରେ ବିଭିନ୍ନ କଳାକୃତି ପ୍ରଦର୍ଶନ ହେଉଛି। ଏହାସହ ଟନେଲ୍ ପରିଚାଳନା ପାଇଁ ଏକ ସମ୍ମେଳନ କେନ୍ଦ୍ର ମଧ୍ୟ ରହିଛି। ଯାହାକି ଭିଡ଼ ଓ ଅଯଥା ହଇରାଣରୁ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବ। ଏହି କରିଡର୍‌ ୬ ଲେନ୍‌ ବିଶିଷ୍ଟ ହୋଇଛି। କରିଡରର ମୁଖ୍ୟ ସୁଡଙ୍ଗ ପ୍ରଗତି ମୈଦାନରୁ ଯାଇ ପୁରୁଣା କିଲା ରୋଡ ଓ ଇଣ୍ଡିଆ ଗେଟ୍‌ ସହିତ ଯୋଡ଼ି ହୋଇଛି। ଏହି ଟନେଲ୍‌ ଜରିଆରେ ବିଶାଳ ବେସମେଣ୍ଟରୁ ପାର୍କିଂ ପର୍ଯ୍ୟନ୍ତ ପହଞ୍ଚିପାରିବେ।

ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀକୁ ଆଜି ଆଧୁନିକ ଇନଫ୍ରାଷ୍ଟ୍ରକଚର୍‌ ଉପହାର ମିଳିଛି। ଏତେ କମ ସମୟ ମଧ୍ୟରେ ଏହି କରିଡର ନିର୍ମାଣ କରିବା ଖୁବ ଆହ୍ବାନପୂର୍ଣ୍ଣ ଥିଲା। ଯେଉଁ ସଡ଼କ ନିକଟବର୍ତ୍ତୀ ଅଞ୍ଚଳରେ ଏହି କରିଡର୍ ନିର୍ମାଣ କରାଯାଇଛି ସେଗୁଡ଼ିକ ସବୁଠାରୁ ବ୍ୟସ୍ତବହୁଳ ରୋଡ୍‌’।

ମୋଦି ଆହୁରି ମଧ୍ୟ କହିଛନ୍ତି, ‘ଇଏ ନୂଆ ଭାରତ। ଏଠି ସମସ୍ୟାର ସମାଧାନ ବି ହୁଏ, ନୂଆ ସଙ୍କଳ୍ପ ବି ନିଆଯାଏ । ଆଉ ସେହି ସଙ୍କଳ୍ପକୁ ପୂରଣ କରିବା ପାଇଁ ପ୍ରୟାସ ମଧ୍ୟ କରାଯାଏ। ଭାରତ ସରକାର ନିରନ୍ତର ଭାବେ ବିକାଶକୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ କରାଯାଉଛି’।

ଦିଲ୍ଲୀ ପିଡବ୍ଲ୍ୟୁଡି ବିଭାଗକୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ରିଙ୍ଗ୍ ରୋଡ, ମଥୁରା ଏବଂ ଭୈରବ ମାର୍ଗ ସବୁବେଳେ ଭିଡ ଦେଖିବାକୁ ମିଳୁଥିଲା। ତେଣୁ ଆଖପାଖ ଅଞ୍ଚଳ ଯେପରିକି ଗାଜିଆବାଦ, ନୋଏଡା, ଏନସିଆର୍‌ରେ ବିକାଶ କାର୍ଯ୍ୟ ଜାରି ରହିଥିବାରୁ ଏହି ରାସ୍ତାରେ ଯାତାୟତ ବୃଦ୍ଧିପାଇଛି। ଅନ୍ୟପଟେ ଦିଲ୍ଲୀ-ମଥୁରା ଏକ୍ସପ୍ରେସ୍‌ ଓ୍ବେ କାରଣରୁୁ ଟ୍ରାଫିକ ଆହୁରି ବଢିଯାଇଛି। ଏଥିପାଇଁ ମଧ୍ୟ ଯୋଜନା କରାଯାଉଛି। ଖୁବଶୀଘ୍ର ସମସ୍ୟାର ସମାଧାନ ହେବ।

Leave A Reply

Your email address will not be published.