ଉପନିର୍ବାଚନ ପ୍ରଚାର ସରିଲା, ୩ରେ ଭୋଟ୍

ବିଜେଡି, ବିଜେପି ପାଇଁ ସମ୍ମାନର ପ୍ରଶ୍ନ

0

ଭୁବନେଶ୍ବର,୧/୧୧: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଆଜି ସନ୍ଧ୍ୟାରେ ‌ଶେଷ ହୋଇଛି। ଆସନ୍ତା ୩ ତାରିଖରେ ଉଭୟ ସ୍ଥାନରେ ମତଦାନ ହେବ। ଆସନ୍ତା ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଆଜି ସନ୍ଧ୍ୟାରେ ପ୍ରଚାର ‌ଶେଷ ହୋଇଥିବାରୁ ନିର୍ବାଚନମଣ୍ଡଳୀ ବାହାରର ଲୋକମାନେ ତୁରନ୍ତ ସେହି ଅଞ୍ଚଳ ଛାଡ଼ିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଉଭୟ ଆସନର ହାର୍‌ଜିତ୍‌ ରାଜ୍ୟ କ୍ଷମତା କେନ୍ଦ୍ରରେ କିଛି ଫରକ୍ ରଖୁନି ସତ। କିନ୍ତୁ ଏହି ନିର୍ବାଚନ ଫଳାଫଳ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ସେହିପରି କଂଗ୍ରେସ କେତେ ଭୋଟ୍‌ ପାଇ ନିଜର ସ୍ଥିତି କିପରି ରଖୁଛି, ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

୨୦୧୯ ନିର୍ବାଚନରେ ବାଲେଶ୍ବରରୁ ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତ ତାଙ୍କ ନିକଟକତମ ପ୍ରତିଦ୍ବନ୍ଦ୍ବୀ ବିଜେଡ଼ିର ଜୀବନ ପ୍ରଦୀପ ଦାସଙ୍କୁ ପ୍ରାୟ ୧୧ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ। ସେହିପରି ତିର୍ତ୍ତୋଲରୁ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରମାକାନ୍ତ ଭୋଇଙ୍କୁ ୪୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ। ଉଭୟ ସ୍ଥାନରେ ବିଧାୟକଙ୍କ ପରଲୋକ ଯୋଗୁ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।

ଉପନିର୍ବାଚନ ଗଣିତ ସାଧାରଣ ନିର୍ବାଚନ ପରି ହୋଇ ନାହିଁ। ପ୍ରାର୍ଥୀ ମନୋନୟନକୁ ନେଇ ବିଭିନ୍ନ ଦଳରେ ଅନ୍ତର୍ଦ୍ବନ୍ଦ୍ବ ଦେଖାଦେଇଥିଲେ ବି ପରବର୍ତ୍ତୀ ସମୟରେ ସେଥିରେ ତାଳିପକା ସମାଧାନ କରିବାରେ ଦଳୀୟ ଉଚ୍ଚ କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି। ଉଭୟ ଆସନରେ ସ୍ବର୍ଗତ ବିଧାୟକଙ୍କ ପୁଅଙ୍କୁ ଦୁଇ ଦଳ ପ୍ରାର୍ଥୀ କରିଛନ୍ତି। କିନ୍ତୁ ଅନ୍ୟ ସବୁ ପ୍ରାର୍ଥୀ ବଦଳିଯାଇଛି। ଅନୁକମ୍ପା ଭୋଟ୍‌ ହାତେଇବାକୁ ବିଜେପି ବା‌ଲେଶ୍ବରରେ ସ୍ବର୍ଗତ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ବିଜେଡି ତା’ର ପ୍ରାର୍ଥୀ ବଦଳାଇ ସ୍ବରୂପ ଦାସଙ୍କୁ ମଇଦାନକୁ ଛାଡ଼ିଛି। ଏଠାରେ କଂଗ୍ରେସର ମଧ୍ୟ ନବାଗତ ପ୍ରାର୍ଥୀ ମମତା କୁଣ୍ଡୁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ତିର୍ତ୍ତୋଲରେ ବିଜେଡି ସ୍ବର୍ଗତ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ବିଜେପି ଓ କଂଗ୍ରେସର ନୂଆ ପ୍ରାର୍ଥୀ ଲଢ଼େଇ କରୁଛନ୍ତି। ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ଭୂଷଣ ‌ଲେଙ୍କା ପ୍ରାର୍ଥୀ ହୋଇଛନ୍ତି। ବାଲେଶ୍ବରରେ ମୋଟ୍‌ ୬ ଜଣ ପ୍ରାର୍ଥୀ ଏବଂ ତିର୍ତ୍ତୋଲରେ ମୋଟ୍‌ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

ଦୁଇଟି ଯାକ ନିର୍ବାଚନମଣ୍ଡଳୀ ତିନି ପ୍ରମୁଖ ଦଳ ଜୋର୍‌ଦାର୍‌ ପ୍ରଚାର କରୁଛନ୍ତି। କୋଭିଡ୍‌ କଟକଣା ସତ୍ତ୍ବେ ପ୍ରଚାର କାର୍ଯ୍ୟରେ କେହି ପଛରେ ପଡ଼ି ନାହାନ୍ତି। ପଦଯାତ୍ରା, ସାଇକେଲ୍‌ ଯାତ୍ରା, ସଭାସମିତି ସବୁଥିରେ ଉଭୟ ନିର୍ବାଚନମଣ୍ଡଳୀ କମ୍ପିଥିଲା। ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଏତେ ଆଗକୁ ଯାଇଛି ଯେ ପ୍ରଚାରର କୌଣସି ସୁଯୋଗକୁ କେହି ହାତ ଛଡ଼ା କରି ନ ଥିଲେ। ବିଜେଡି ରାଜ୍ୟ ସରକାରଙ୍କ ସଫଳତା ବଖାଣି ଭୋଟର୍‌ଙ୍କୁ ପ୍ରତିଶ୍ରୁତି ଦେଇଥିଲା ବେଳେ ବିଜେପି ରାଜ୍ୟ ସରକାରଙ୍କ ବିଫଳତା ପ୍ରଚାର କରି କେନ୍ଦ୍ର ସରକାରଙ୍କ ସଫଳତାକୁ ଭୋଟର୍‌ଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲା। ଉଭୟ ବିଜେଡି ଓ ବିଜେପିକୁ ଘେରି କଂଗ୍ରେସ ମଧ୍ୟ ଭୋଟର୍‌ଙ୍କ ମନ ଜିଣିବାକୁ ପ୍ରଚେଷ୍ଟା କରିଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ କିପରି ରାଜ୍ୟର ବିକାଶର ବାଟ ଓଗାଳିଛି, ତାହା ଦେଖାଇବାକୁ କଂଗ୍ରେସ ନେତାମାନେ ଉଦ୍ୟମ କରିଥିଲେ।

ବିଜେଡି ପାଇଁ ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଦୁଇଟି ଭର୍ଚୁଆଲ୍‌ ରାଲି କରି ଭୋଟ୍‌ ମାଗିଛନ୍ତି। ଦୁଇଟି ଯାକ ଅଞ୍ଚଳରେ ବିକାଶର କାର୍ଯ୍ୟ ନିଜେ ତଦାରଖ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ବିଜେଡିର ଡର୍ଜନେରୁ ଅଧିକ ମନ୍ତ୍ରୀ, ବହୁ ବିଧାୟକ ଓ ଛାମୁଆ ନେତା ଉଭୟ ନିର୍ବାଚନମଣ୍ଡଳୀରେ ଡେରା ପକାଇ ପ୍ରଚାର କରିଛନ୍ତି। ସେହିପରି ବିଜେପିର ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ବିଧାୟକ, ସଂଗଠନ କର୍ମକର୍ତ୍ତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଉଭୟ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ଦେଇଥିବା ଅନୁଦାନର ତାଲିକା ଦେବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ମଧ୍ୟ ପ୍ରଚାରରେ ପଛରେ ପଡ଼ି ନାହିଁ। କଂଗ୍ରେସର ନୂଆ ରାଜ୍ୟ ପ୍ରଭାରୀ ଡକ୍ଟର୍‌ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ବହୁ ବିଧାୟକ, ଛାମୁଆ କର୍ମକର୍ତ୍ତା ଉଭୟ ସ୍ଥାନ‌ରେ ପ୍ରଚାର ତ୍ବରାନ୍ବିତ କରିଛନ୍ତି।

Leave A Reply

Your email address will not be published.