ସମ୍‌ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ନର୍ସମାନଙ୍କୁ ପ୍ରଶିକ୍ଷଣ

0

ଭୁବନେଶ୍ୱର ୨୫/୬: ଗୁରୁତର ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଶନିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସମ୍‌ ହସ୍ପିଟାଲ୍‌ର କ୍ରିଟିକାଲ୍‌ କେୟାର ମେଡିସିନ୍‌ ବିଭାଗ ପକ୍ଷରୁ ଆୟୋଜିତ କ୍ରିଟିକାଲ୍‌ କେୟାର ନର୍ସିଂ ଅପ୍‌ଡେଟ୍‌-୨୦୨୨ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ୍‌ ମେଡିକାଲ୍‌ ଏଜୁକେସନ୍‌ (ସିଏମ୍‌ଇ) ରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‌ର ୬୦ ଜଣ ନର୍ସଙ୍କ ସମେତ ପ୍ରାୟ ୧୨୦ ଜଣ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରିବା ଉପରେ ଜୋର ଦେଇଥିଲେ ।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏଭଳି ସିଏମ୍‌ଇକୁ ଗୋଟିଏ ଦିନ ମଧ୍ୟରେ ସିମୀତ ନ ରଖି ନିୟମିତ ଭାବେ ପରିଚାଳନା କରିବା ନେଇ ମତ ବ୍ୟକ୍ତ କରିଥିଲେ । ସେହିପରି କ୍ରିଟିକାଲ୍‌ କେୟାର ମେଡିସିନ୍‌ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶକ୍ତି ବେଦାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନର୍ସମାନଙ୍କ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଚିକିତ୍ସା ଓ ସେବା ସୁଶୃଷା ଦିଗରେ ନର୍ସମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ । ତେବେ ନର୍ସିଂ ପାଠ୍ୟକ୍ରମରେ ଏ ସମ୍ପର୍କିତ ଶିକ୍ଷା ପ୍ରଦାନ ବ୍ୟବସ୍ଥା ନାହିଁ । ତେଣୁ ଏଭଳି ସିଏମ୍‌ଇ ଦ୍ୱାରା ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିହେବ ବୋଲି ଡାକ୍ତର ମିଶ୍ର କହିଛନ୍ତି । କାର୍ଯ୍ୟକ୍ରମରେ ସମ୍‌ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତି ପ୍ରଜ୍ଞା ଦଳବେହେରା ଯୋଗ ଦେଇ ନର୍ସମାନଙ୍କୁ ଫିଜିଓଥେରାପି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସେହିପରି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରିଟିକାଲ୍‌ କେୟାର ବିଭାଗର ଡାକ୍ତର ସାଗରିକା ପଣ୍ଡା ଓ ଡାକ୍ତର ଅଭିଳାଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଡିସ୍‌ନାଲ୍‌ ନର୍ସିଂ ସୁପରିଟେଣ୍ଡେଂଟ୍‌ ଶ୍ରୀମତି ଶୋଭାମଞ୍ଜରୀ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.