ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଓଡ଼ିଶାରୁ ପଡ଼ିଲା ୧୪୫ଟି ଭୋଟ୍‌

ଓଡ଼ିଶାରୁ ପଡ଼ିଲା ୧୪୫ଟି ଭୋଟ୍‌

0

ଭୁବନେଶ୍ବର, ୧୮।୭: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟଗ୍ରହଣ ଶେଷ ହୋଇଛି। କେବଳ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ଭୋଟ୍ ଦେଇଛନ୍ତି। ଆଜି ଓଡ଼ିଶା ବିଧାନସଭା ପରିସରରେ ଥିବା ଭୋଟଗ୍ରହଣ କେନ୍ଦ୍ରରେ ମୋଟ ୧୪୫ଜଣ ବିଧାୟକ ଭୋଟ୍ ଦେଇଥିବା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସଂସଦ ଭବନରେ ଭୋଟ୍ ଦେଇଛନ୍ତି।

ସୂଚନା ଅନୁସାରେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଆଜି ଅପରାହ୍ନ ୧ଟା ସୁଦ୍ଧା ୧୪୧ଜଣ ବିଧାୟକ ନିଜର ମତାଧିକାର ସାବ୍ୟସ୍ତ କରିଥିବା ବେଳେ ୫ଟା ସୁଦ୍ଧା ଆଉ ୪ଜଣ ଭୋଟ୍ ଦେଇଥିଲେ। ବିଜେଡିର ୧୧୨ ଜଣ ବିଧାୟକ, ବିଜେପିର ୨୧ଜଣ ବିଧାୟକ, କଂଗ୍ରେସର ୯ଜଣ ବିଧାୟକ, ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହୋଇଥିବା ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପ୍ରକୋଷ୍ଠରେ ଭୋଟ୍ ଦେଇଥିବାବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସଂସଦ ଭବନରେ ଭୋଟ୍ ଦେଇଛନ୍ତି। ଓଡ଼ିଶାରେ କଂଗ୍ରେସ ବିଧାୟକଙ୍କ ଭୋଟ୍ ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଯାଇଥିବାବେଳେ କେବଳ କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଭୋଟ୍ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ପଡ଼ିଛି। ବିଜେଡି, ବିଜେପି ଓ ଅନ୍ୟମାନଙ୍କ ଭୋଟ୍ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ସପକ୍ଷରେ ଯାଇଛି।

Leave A Reply

Your email address will not be published.