ଆସନ୍ତାକାଲି ଓଡ଼ିଶା ବନ୍ଦ

ସାଢ଼େ ୯ଟା ସୁଦ୍ଧା ଅଫିସ୍ ପହଞ୍ଚିବାକୁ ନିର୍ଦ୍ଦେଶ

0

ଭୁବନେଶ୍ବର, ୧୮।୭: କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆସନ୍ତାକାଲି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି। ଲୋକସେବା ଭବନ, ଖାରବେଳ ନଗର, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସମସ୍ତ ବିଭାଗର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଯେ,ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଆସନ୍ତାକାଲି ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହି ସମୟରେ ସେମାନେ ଗାଡ଼ିମୋଟର ଓ ଟ୍ରେନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍ ଓ ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରିବାର ଆଶଙ୍କା ରହିଛି । ତେଣୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍ ପରିସରକୁ ପ୍ରବେଶ ପାଇଁ ପରାମଶଁ ଦିଆଯାଉଛି । ଲୋକସେବା ଭବନର ମୁଖ୍ୟ ଗେଟ୍ ସକାଳ ୧୦ଟା ୧୫ମିନିଟରେ ବନ୍ଦ ହୋଇଯିବ ଓ ସମସ୍ତେ ପଛ ଗେଟ୍ ଦେଇ ଯାତାୟତ କରିବେ।

କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାର ପାସ୍ ଥିବା ଗାଡ଼ି ମଧ୍ୟ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବ ନାହିଁ। ଆସନ୍ତାକାଲି ଏସବୁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଯଦି କୌଣସି ଜରୁରୀ କାର୍ଯ୍ୟ ଥାଏ ତେବେ ସମ୍ପୃକ୍ତ ବିଭାଗର ସୁପାରିଶରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସଙ୍ଗେସଙ୍ଗେ ପାସ୍ ଯୋଗାଇ ଦେବେ। ସୂଚନାଯୋଗ୍ୟ, ଆସନ୍ତାକାଲି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ଅନେକ ଘରୋଇ ସ୍କୁଲ ମଧ୍ୟ ନିଜ ଆଡ଼ୁ ଛୁଟି ଘୋଷଣା କରିଛନ୍ତି।

 

Leave A Reply

Your email address will not be published.