୧୦ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ନିୟମିତ କର: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

0

କଟକ, ୨୮/୮: ଯେଉଁମାନେ କୌଣସି ପଦବିରେ ୧୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କୁ ରାଜ୍ୟ ସରକାର ନିୟମିତ କରିବା ଲାଗି ପଦକ୍ଷେପ ନେବା ଉଚିତ୍‌। ଏହିଭଳି ଯେତେ କର୍ମଚାରୀ ଅଛନ୍ତି ସମସ୍ତଙ୍କ ପାଇଁ ଏକକାଳୀନ ପଦକ୍ଷେପ ନେବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୌର ନିଗମ ଦ୍ୱାରା ୧୯୯୪ ମସିହାରେ ସହକାରୀ ଶିକ୍ଷକ ଭାବେ ଟିଜି (ଟ୍ରେଣ୍ଡ୍‌ ଗ୍ରାଜୁଏଟ୍‌) ପଦବିରେ ଏମ୍‌ପିଏଲ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ହରପ୍ରିୟା ପାତ୍ରଙ୍କୁ ନିଯୁକ୍ତି ମିଳିଥିଲା। ଏହି ବିଦ୍ୟାଳୟରେ କେବଳ ୨ ହଜାର ଟଙ୍କା ଦରମା (ରେମୁନେରେସନ୍‌) ରେ ସେ କାର୍ଯ୍ୟ କରି ଆସୁଥିଲେ।

ଗତ ପ୍ରାୟ ୨୮ବର୍ଷ ଧରି ସେ ଟିଜିଟି ଶିକ୍ଷକ ଭାବେ ଶିକ୍ଷକତା କରି ଆସୁଥିଲାବେଳେ ତାଙ୍କୁ ନିୟମିତ କରାଯିବା ଲାଗି କୌଣସି ପଦକ୍ଷେପ ନିଆଯାଇନଥିଲା। ଏହିଭଳି ଆହୁରି କେତେକ ମାମଲା ଓଡ଼ିଶା ହାଇକୋର୍ଟକୁ ଆସିଥିଲା। ଏସବୁ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ପାଣିଗ୍ରାହୀ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆବେଦନକାରିଣୀଙ୍କୁ ୨୦୦୪ ଫେବ୍ରୁଆରୀ ୨୮ ତାରିଖରୁ ନିୟମିତ କରାଯିବା ସହ ସେବେଠାରୁ ତାଙ୍କୁ ସମସ୍ତ ଅର୍ଥ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରିଣୀ ବ୍ରହ୍ମପୁର ପୌର ନିଗମ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲାବେଳେ ରେମୁନେରେସନ୍‌ରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରାଗଲା। ରାଜ୍ୟ ସରକାର ୨୨୦ ଜଣ ଶିକ୍ଷକଙ୍କୁ ନିୟମିତ ଘୋଷଣା କରିଥିଲାବେଳେ ଆବେଦକାରିଣୀଙ୍କୁ ଠିକା ନିଯୁକ୍ତିରେ ରଖିଥିଲେ। ଫଳରେ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଆବେଦନକାରିଣୀ ଗଣଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସବୁଠାରୁ ନିରାଶ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ଆବେଦନକାରିଣୀଙ୍କ ସମେତ ଏହିଭଳି ଏକାଧିକ ମାମଲାରେ ରାୟ ପ୍ରକାଶ କରି କହିଛନ୍ତି ଯେ, ସରକାରୀ ପଦପଦବିରେ ଯେଉଁମାନେ ଚାକିରି କରୁଛନ୍ତି ସେମାନେ ସମ୍ବିଧାନର ନିୟମ ଦ୍ୱାରା ପରିଚାଳିତ। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମରେ ସେମାନେ ବନ୍ଧା। ଠିକାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସମସ୍ୟା ପ୍ରାୟ ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଛି। ସୁପ୍ରିମ୍‌କୋର୍ଟ ଏହି ପରିପ୍ରେକ୍ଷୀରେ ଠିକା କର୍ମଚାରୀଙ୍କ ସମସ୍ୟାର କିପରି ସମାଧାନ କରାଯିବ ସେଥିପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଏହି ଅବସରରେ ଆବେଦନକାରିଣୀଙ୍କ ଏକ ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ କହିଛନ୍ତି ଯେ, ସବୁବେଳେ ନିୟମିତ ଖାଲି ପଦବିକୁ ଉଚ୍ଛେଦ କରାଯାଇ ସେହି ସ୍ଥାନରେ ଠିକା ପଦବି ସୃଷ୍ଟି କରଯାଉଛି । କିନ୍ତୁ ଏଠି ଆବେଦନକାରିଣୀଙ୍କ କ୍ଷେତ୍ରରେ ଟିଜିଟି ପଦବି ଉଚ୍ଛେଦ କରାନଯାଇ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏଠାରେ ରାଜ୍ୟ ସରକାର ଆବେଦନକାରିଣୀଙ୍କୁ ନିୟମିତ ନ କରି ଏକ ବିରାଟ ତ୍ରୁଟି କରିଛନ୍ତି । ଠିକା କର୍ମଚାରୀଙ୍କୁ ନିୟମିତ କରିବା ନେଇ ଦୀର୍ଘ ବର୍ଷ ଧରି ବହୁ ମାମଲାର ବିଚାର ଚାଲି ଆସୁଛି । ତେଣୁ ଏଭଳି କ୍ଷେତ୍ରରେ ଅଦାଲତ ଏକ ଗାଇଡ୍‌ର ଭୂମିକା ନିର୍ବାହ କରିବେ । ତେଣୁ ରାଜ୍ୟ ସରକାର ଠିକାରେ ଗତ ୧୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ବିଭିନ୍ନ କର୍ମଚାରୀଙ୍କୁ ନିୟମିତ କରିବା ଲାଗି ପଦକ୍ଷେପ ନେବା ଉଚିତ୍‌ ବୋଲି ହାଇକୋର୍ଟ ମତ ଦେଇଛନ୍ତି ।

 

Leave A Reply

Your email address will not be published.