‘ସାକାର’ ପୋର୍ଟାଲ୍‌ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୧୩/୧୦: ସିଙ୍ଗଲ୍‌ ୱିଣ୍ଡୋ ଆପ୍ଲିକେସନ୍‌ ଆଟ୍ରୋସିଟି କମ୍ପେନସେସନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ (ସାକାର୍‌) ପୋର୍ଟାଲ୍‌କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପୋର୍ଟାଲରେ ଆବେଦନ କରିବା ଦ୍ୱାରା ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ଜାତିଆଣ ମାମଲାର ଉଭୟ ଅନୁସନ୍ଧାନ ଓ କ୍ଷତିପୂରଣ ପ୍ରଦାନ ପୂର୍ବାପେକ୍ଷା ଶୀଘ୍ର ହୋଇପାରିବ । ମାମଲାରେ ପୀଡ଼ିତଙ୍କୁ ଜାତିଆଣ ମାମଲାର ପ୍ରଥମ ପର୍ଯ୍ୟାୟ କ୍ଷତିପୂରଣ ସହାୟତା ରାଶି ୨୧ ଦିନ ମଧ୍ୟରେ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୁଧବାର ମୁଖ୍ୟମନ୍ତ୍ରୀ ଅନଲାଇନ୍‌ରେ ସାକାର୍‌ ପୋର୍ଟାଲ୍‌କୁ ଉନ୍ମୋଚନ କରି କହିଛନ୍ତି, ଅନ୍‌ଲାଇନ୍‌ ସାକାର ପୋର୍ଟାଲ୍‌ ମାନୁଆଲ୍‌ ଅନୁସନ୍ଧାନରେ ପୀଡ଼ିତମାନଙ୍କୁ କ୍ଷତିପୂରଣ ପ୍ରଦାନରେ ହେଉଥିବା ବିଳମ୍ୱକୁ ଏଡ଼ାଇ ପାରିବ । ମୋ ସରକାର ଏସ୍‌ସି-ଏସ୍‌ଟି ସମ୍ପ୍ରଦାୟର କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ନୂତନ ପୋର୍ଟାଲ ଏସ୍‌ସି-ଏସ୍‌ଟି ସମ୍ପ୍ରଦାୟର ପୀଡ଼ିତଙ୍କୁ ଏକ ବଡ଼ ସାନ୍ତ୍ୱନା ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପୋର୍ଟାଲ୍‌ ପ୍ରସ୍ତୁତ କରିଥିବାରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିକାଶ ବିଭାଗ ଏବଂ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଏହି ପୋର୍ଟାଲ ଓଡ଼ିଶା ସରକାରଙ୍କ ୫-ଟି ପଦକ୍ଷେପରେ ଦକ୍ଷତା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ଏସ୍‌ଟି-ଏସ୍‌ସି ସମ୍ପ୍ରଦାୟର ବିକାଶ ତଥା କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହି ସମ୍ପ୍ରଦାୟକୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ପାଇଁ ଏହା ଆଉ ଏକ ପଦକ୍ଷେପ ବୋଲି ସେମାନେ କହିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ସୁନିଲ ବଂଶଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ୫-ଟି ସଚିବ ଭି. କେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, ଏବେ ଅନୁସୂଚିତ ଜାତି ଓ ଜନଜାତି ମାମଲାର ଡାକ୍ତରୀ ରିପୋର୍ଟ, ଜାତି ପ୍ରମାଣପତ୍ର, ମିଳିତ ତଦନ୍ତ ରିପୋର୍ଟ ସମେତ ଏଫ୍‌ଆଇଆର୍‌ ପଞ୍ଜୀକରଣ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଇଜ୍‌ ହେଉଛି । କ୍ଷତିପୂରଣ ରାଶି ସିଧାସଳଖ ପୀଡ଼ିତଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ । ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ବିନୟତୋଷ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.