ଖୋଲିଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

0

ବାରିପଦା, ୧/୧୧: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ। ନଭେମ୍ବର ୧ ତାରିଖରୁ ୨୦୨୩ ମସିହା ଜୁନ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ। ଏନେଇ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଟି ଅଶୋକ କୁମାର ସୂଚନା ଦେଇଛନ୍ତି। ଟି ଅଶୋକ କୁମାର ପିଠାବଟା ତନଖିଫାଟକଠାରେ ଉପସ୍ଥିତ ରହି ପୂଜାପାଠ କରିବା ପରେ ଅଭୟାରଣ୍ୟ ଭିତରକୁ ପ୍ରଥମ ଯାନ ପ୍ରବେଶ କରିଥିଲା। ଏହି ସମୟରେ ପର୍ଯ୍ୟଟକଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସ୍ଵାଗତ କରାଯାଇଥିଲା। ଏହି ସମୟରେ ପାରମ୍ପରିକ ନୃତ୍ୟ ବାଦ୍ୟ ପରିବେଷଣ କରାଯାଇଥିଲା।

ସୂଚନାନୁଯାୟୀ, ପ୍ରତ୍ୟେକ ଦିନ ପ୍ରଥମେ ଆସିଥିବା ଯାନ ମଧ୍ୟରୁ କାଳିଆଣି ତନଖି ଫାଟକ (ଯଶୀପୁର) ପଟୁ ୩୫ ଗାଡି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିବ। ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ଉକ୍ତ ଦୁଇ ତନଖି ଫାଟକରେ ଥିବା ବୁକିଂ କାଉଣ୍ଟରରେ ପ୍ରବେଶ ଅନୁମତି ପତ୍ର ଉପଲବ୍ଧ ହେବ। ପ୍ରତି ପର୍ଯ୍ୟଟକଙ୍କ ପିଚ୍ଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି। ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକମାନେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବା ଉପରେ କଟକଣା ଜାରି କରାଯାଇଛି। ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ (www.ecotourism.com) ୱେବସାଇଟରେ ଅଗ୍ରୀମ ବୁକିଂ କରିପାରିବେ।

ପ୍ରକାଶ ଥାଉ କି, ପ୍ରତି ବର୍ଷ ବର୍ଷାଋତୁ ଯୋଗୁଁ ଜୁନ ମାସ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ। କୋଭିଡ କଟକଣା ମଧ୍ୟରେ ଗତ ବର୍ଷ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଶିମିଳିପାଳ ବୁଲିଥିଲେ। ଫଳରେ ରାଜସ୍ଵ ଆଦାୟ ତହବିଲକୁ ପ୍ରାୟ ଅଢ଼େଇ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଚଳିତବର୍ଷ ପ୍ରକୃତିପ୍ରେମୀଙ୍କୁ କେତେ ଆକୃଷ୍ଟ କରୁଛି ତାହା ଦେଖିବାକୁ ବାକି ରହିଛି। ଚଳିତ ବର୍ଷ ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ଶୀତତାପ ନିୟନ୍ତ୍ରତ ମିନିବସ୍‌ର ବ୍ୟବସ୍ଥା କରାଯାଇଛି। ଏହା ସହିତ ଅଭୟାରଣ୍ୟ ମଧ୍ୟରେ ସ୍ଵତନ୍ତ୍ର ଖାଦ୍ୟର ବ୍ୟବସ୍ଥା ଥିବାର ଜଣାପଡିଛି। ଯାହା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।

ଏହି ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି। ଯେଉଁଥିପାଇଁ ଏହା ବାଘ, ଏସୀୟ ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି । ଏଥିସହିତ ଏହି ଜୈବମଣ୍ଡଳରେ ହଜାରେ ପ୍ରଜାତିର ସପୁଷ୍ପକ ଉଦ୍ଭିଦ, ସହିତ ୯୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଦୁଃସାହସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍‌‌ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି। ତାଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଂର ସୁବିଧା କରାଯାଇଛି। ପର୍ଯ୍ୟଟକମାନେ ପ୍ରତି ଗାଡ଼ିରେ ଜଣେ ବିଭାଗୀୟ ଗାଇଡଙ୍କୁ ନିୟମ ଅନୁଯାୟୀ ସାଙ୍ଗରେ ନେବାକୁ ପଡ଼ିବ। ସେହିପରି ବୁଲାବୁଲି ସାରି ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ନିର୍ଦ୍ଦେଶ ରହିଛି।

କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶୀପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ଟଙ୍କା ଜମା ଦେବାକୁ ନିୟମ ରହିଛି। ରାତ୍ରି ରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ ଗୁଡ଼ଗୁଡ଼ିଆ ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାତ୍ରୀ ରହଣି ପାଇଁ ପର୍ଯ୍ୟଟକମାନେ ୱେବସାଇଟରେ ଅଗ୍ରୀମ ଆରକ୍ଷଣ କରିବାକୁ ପଡ଼ିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି । ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଙ୍ଗଲ ପରିବେଶରେ କିପରି ଜଙ୍ଗଲୀ ବନ୍ୟଜନ୍ତୁଙ୍କ ଚଳ ପ୍ରଚଳକୁ ପାଖରୁ ଦେଖିପାରିବେ ସେଥିପାଇଁ ସତନ୍ତ୍ର ରୁଟ୍ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.