ସୋଆରେ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ଉଦ୍‌ଯାପିତ : ସବ୍ ଜୁନିୟର ଏବଂ ଜୁନିୟରରେ ଓଡ଼ିଶା ଚାମ୍ପିଅନ୍

0

ଭୁବନେଶ୍ୱର, ୦୪/୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍‌ର ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡ଼ିଶା ଚାମ୍ପିଅନ୍ ହୋଇଛି । ସିନିୟର ବର୍ଗରେ ଓଡ଼ିଶା ରନର୍ସ ଅପ୍ ହୋଇଛି । ସୋଆ ବିଶ୍ୱବିଦ୍ୟାଳୟର ଛାତ୍ର କର୍ଣ୍ଣ ବାହାଦୂର ସିନିୟର ପୁରୁଷ ୬୬ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଜାତୀୟ ଚାମ୍ପିଅନ୍‌ସିପ୍ ଗତ ମାସ ୨୯ ରୁ ଆରମ୍ଭ ହୋଇ ନୂଆ ବର୍ଷରେ ଶେଷ ହୋଇଥିଲା । ଏହି ପ୍ରତିଯୋଗୀତାରେ ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସବ୍ ଜୁନିୟର ବର୍ଗରେ ଓଡ଼ିଶା ଚାମ୍ପିଅନ୍ ଆସାମ ରନର୍ସ ଅପ୍ ଏବଂ କେରଳ ଦ୍ୱିତୀୟ ରନର୍ସ ଅପ୍ ଏବଂ ଜୁନିୟର ବର୍ଗରେ ଓଡ଼ିଶା ଚାମ୍ପିଅନ୍, କେରଳ ରନର୍ସ ଅପ୍ ଏବଂ ଆସାମ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲା।

ସେହିପରି ସିନିୟରରେ କେରଳ ଚାମ୍ପିଅନ୍‌, ଓଡ଼ିଶା ରନର୍ସ ଅପ୍ ଏବଂ ଉତ୍ତରପ୍ରଦେଶ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲା । ସିନିୟର ବର୍ଗରେ ଉତ୍ତରପ୍ରଦେଶ ଶ୍ରେଷ୍ଠ ଦଳ ଏବଂ ପୁରୁଷରେ ଓଡ଼ିଶାର ବବଲୁ ମୁଣ୍ଡା ଓ ମହିଳାରେ ଆସାମର ପ୍ରିୟଙ୍କା ପେଗୁ ଶ୍ରେଷ୍ଠ ଯୋଦ୍ଧା ଭାବେ ବିବେଚିତ ହୋଇଥିଲେ । ବବଲୁ ପ୍ରୋ-ଚାମ୍ପିଅନ ଓ ଆସାମର କୁଶଲ ପଚୁଙ୍ଗ ରନର୍ସ ଅପ୍ ଏବଂ ଓପନ ବର୍ଗରେ ସକୁନ ଟିକ୍କୋ ଚାମ୍ପିଅନ ଓ ଓଡ଼ିଶାର ରାଜୁ ସିଂକୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଲେଫ୍ଟନାଣ୍ଟ ଜେନେରାଲ ଜେ.କେ ମହାନ୍ତି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ଡ. ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଏସ୍‌.ଏସ୍‌. ହରିଚନ୍ଦନ, ପ୍ରବୋଧ ମହାନ୍ତି, ଦେବବ୍ରତ ପାଣିଗ୍ରାହୀ ଏବଂ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

 

Leave A Reply

Your email address will not be published.