ଓଡ଼ିଶା ବିଚାର ବିଭାଗରେ ଯୋଡ଼ି ହେଲା ପୁଣି ନୂଆ ଅଧ୍ୟାୟ: ଆଉ ୧୦ଟି ସ୍ଥାନରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ

0

କଟକ, ୨୮।୩: ଭର୍ଚୁଆଲ କୋର୍ଟ ମୋକଦ୍ଦମାରେ ପକ୍ଷଙ୍କ ଖର୍ଚ୍ଚ ହ୍ରାସ ସହିତ ଦକ୍ଷତା ବୃଦ୍ଧି କରିବ ଓ ତ୍ବରିତ ନ୍ୟାୟ ନିଶ୍ଚିତ କରିବ। ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା ଓଡ଼ିଶାର ଜନସାଧାରଣଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥା ନିକଟରେ ପହଞ୍ଚିବା କ୍ଷେତ୍ରରେ ଉନ୍ନତି ଆଣିବ। ଦ୍ବିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ପ୍ରତିଷ୍ଠିତ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ କରିବା ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଏହା କହିଛନ୍ତି।

ହାଇକୋର୍ଟରେ ମାମଲା ରୁଜୁ ଓ ଶୁଣାଣି କ୍ଷେତ୍ରରେ ଅଂଶଗ୍ରହଣ ପାଇଁ ଜିଲ୍ଲା ଅଦାଲତ ଆଇନଜୀବୀଙ୍କୁ ଏହି ବ୍ୟବସ୍ଥା ସକ୍ଷମ କରାଇବ। ଭର୍ଚୁଆଲ କୋର୍ଟ ଦେଶର ବିଚାରବିଭାଗରେ ବୈଷୟିକ ଜ୍ଞାନକୌଶଳର ଉପେଯାଗ ତ୍ବାରନ୍ବିତ କରିବ। ଭାରତୀୟ ନ୍ୟାୟବ୍ୟବସ୍ଥାରେ ଏପରି ରୁପାନ୍ତରଣ କ୍ଷେତ୍ରରେ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟର ସବୁ ଅଦାଲତ ‘ପେପରଲେସ୍’ ବ୍ୟବସ୍ଥାରେ କାର୍ଯ୍ୟ କରିବା ଓ ଓଡ଼ିଶାର ଜନସାଧାରଣଙ୍କୁ ଗୁଣାତ୍ମକ ନ୍ୟାୟ ପ୍ରଦାନରେ ସହାୟତା ପ୍ରଦାନ କରିବା ହାଇକୋର୍ଟଙ୍କ ଦୂରଦୃଷ୍ଟି ବୋଲି ମୁଖ୍ୟ ବିଚାରପତି ଏହି ଅବସରରେ କହିଥିଲେ।

ହାଇକୋର୍ଟ ଆଇଟି ଓ ଏଆଇ କମିଟି ଅଧ୍ୟକ୍ଷ ଜଷ୍ଟିସ ଶୁଭାଶିଷ ତାଳପତ୍ର ସ୍ବାଗତ ଭାଷଣରେ କହିଥିଲେ ଯେ ଜିଲ୍ଲାରେ ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା ଲୋକମାନଙ୍କ ଦ୍ବାରରେ ନ୍ୟାୟ ସୁନିଶ୍ଚିତ କରିବା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। କମିଟି ସଦସ୍ୟ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେବା ସହିତ କହିଥିଲେ ଯେ ଦୂରତା ଯୋଗୁଁ ପହଞ୍ଚିବା ପାଇଁ ରହିଥିବା ଅସୁବିଧା ଓ ଖର୍ଚ୍ଚ ସମସ୍ୟା ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା ଦ୍ବାରା ସମାଧାନ ହୋଇଛି। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ଅନ୍ୟ ବିଚାରପତିମାନଙ୍କ ସହିତ ଆଡଭୋକେଟ ଜେନେରାଲ, ବିଚାରବିଭାଗୀୟ ଅଧିକାରୀ, ସରକାରୀ ଅଧିକାରୀ, ୧୦ଟି ଜିଲ୍ଲାର ଆଇନଜୀବୀ ଉପସ୍ଥିତ ଥିଲେ।
ଦ୍ବିତୀୟ ପର୍ଯ୍ୟାୟରେ ଅନୁଗୁଳ, ‌ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, କନ୍ଧମାଳ (ଫୁଲବାଣୀ), ମୟୂରଭଞ୍ଜ (ବାରିପଦା), ନୟାଗଡ଼, ସୁନ୍ଦରଗଡ଼ରେ ପ୍ରତିଷ୍ଠା କରାଯାଇଥିବା ଭର୍ଚୁଆଲ କୋର୍ଟକୁ ମୁଖ୍ୟ ବିଚାରପତି ଭର୍ଚୁଆଲ ବ୍ୟବସ୍ଥାରେ ଉଦଘାଟନ କରିଥିଲେ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ବର, ବଲାଙ୍ଗୀର, ଜୟପୁର, ପୁରୀ, ରାଉରକେଲାରେ ପ୍ରତିଷ୍ଠା କରାଯାଇଥିବା ଭର୍ଚୁଆଲ ହାଇକୋର୍ଟ ଭାରତର ପ୍ରଧାନ ବିଚାରପତିଙ୍କ ଦ୍ବାରା ଫେବ୍ରୁଆରି ୩ରେ ଉଦଘାଟିତ ହୋଇଥିଲା। ‌ପ୍ରଥମ ପର୍ଯ୍ୟାୟରେ ପ୍ରତିଷ୍ଠିତ ୧୦ଟି ସ୍ଥାନରୁ ଉତ୍ସାହଜନକ ଫଳାଫଳ ମିଳିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍ଥାନରେ ଏହି ବ୍ୟବସ୍ଥା ଉଦଘାଟନ କରାଯାଇଛି।

Leave A Reply

Your email address will not be published.