ଜାନୁଆରିରୁ କଡ଼ାକଡ଼ି ହେବ ହେଲ୍‌ମେଟ୍‌ ନିୟମ: ସ୍ପଷ୍ଟ କଲେ ପରିବହନ ମନ୍ତ୍ରୀ

0

ଭୁବନେଶ୍ବର,୬/୧୨: ବାଇକ୍ ପଛରେ ବସୁଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ। ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଦୁଇ ଦିନ ତଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଘୋଷଣା କରିଥିଲେ। ପଛରେ ବସିଥିବା ଲୋକ ହେଲ୍‌ମେଟ୍‌ ନ ପିନ୍ଧିଲେ ଚାଳକଙ୍କ ଠାରୁ ଫାଇନ୍ ଆଦାୟ କରାଯିବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ତେବେ ଏହି ନିୟମ କେବେ ଲାଗୁ ହେବ, ସେ ନେଇ ଦ୍ବନ୍ଦ୍ବ ଦେଖାଯାଇଥିଲା। ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ନେଇ ସ୍ପଷ୍ଟ କରିଛନ୍ତି। ଆସନ୍ତା ଜାନୁଆରିରୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ନିୟମକୁ କଠୋର ଭାବେ ପାଳନ କରିବା ପାଇଁ ସୁପ୍ରିମକୋର୍ଟ ତାଗିଦ୍ କରିଛନ୍ତି। ତେଣୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇ ନିୟମକୁ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବ। ତାହା ପରେ ଜାନୁଆରିରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବର ଓ କଟକରେ ବାଇକ୍ ପଛପଟେ ବସୁଥିବା ଲୋକଙ୍କୁ ହେଲ୍‌ମେଟ୍‌ ପିନ୍ଧିବା ପାଇଁ ପ୍ରଥମେ ସଚେତନ କରାଯିବ ବୋଲି କମିସନରେଟ୍‌ ପୁଲିସ୍‌ ପକ୍ଷରୁ କୁହାଯାଇଛି। କିଛି ଦିନ ସଚେତନ କରାଯିବା ପରେ ଚେକିଂ ଜୋର୍‌ଦାର୍‌ କରାଯିବ।

Leave A Reply

Your email address will not be published.