ହିମାଚଳ ପ୍ରଦେଶରେ ବଡ଼ଧରଣର ଭୂସ୍ଖଳନ, ୪୦ରୁ ଊର୍ଧ୍ବ ମୃତ ଆଶଙ୍କା

କିନ୍ନୌର, ୧୧।୮: ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର ନିଗୁଲସରିରେ ଜାତୀୟ ରାଜପଥ ୫ରେ ଆଜି ଏକ ବଡ଼ଧରଣ ଭୂସ୍ଖଳନ ଘଟିଛି। ଏହି ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖଣ୍ଡ ସବୁ ଖସିବାରେ ଲାଗିଛି। ଏହି ମାଟି ଅତଡ଼ା ତଳେ ଗୋଟିଏ ବସ୍‌, ଟ୍ରକ ଓ ଏକାଧିକ କାର୍‌ ଫସି ରହିଥିବା ଅନୁମାନ କରାଯାଉଛି। ବସ୍‌ଟିରେ ୪୦ରୁ ଅଧିକ ଲୋକ ରହିଥିବା କୁହାଯାଉଛି। ମାଟି ଅତଡ଼ା ତଳେ ବସ ଯାତ୍ରୀ ଫସି ଯାଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଭୂସ୍ଖଳନର ଶିକାର ହୋଇଥିବା ବସ୍‌ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି କିନ୍ନୌରରୁ ହରିଦ୍ୱାର ଯାଉଥିଲା। ଭୂସ୍ଖଳନ ହେତୁ ବସ୍‌ରେ ପଥର ଖଣ୍ଡ ମାଡ଼ ହେବା ପରେ ଏହା ସଂପୂର୍ଣ୍ଣ ଭାବେ ମାଟି ତଳେ ପୋତି ହୋଇ ଯାଇଛି।

କେବଳ ଏତିକି ନୁହେଁ  ଏହି ଭୂସ୍ଖଳନ ସମୟରେ  ସେହି ରାସ୍ତା ଦେଇ  ଯାଉଥିବା ଏକାଧିକ କାର୍‌ ମଧ୍ୟ ମାଟି ଅତଡ଼ା ତଳେ ଫସି ଯାଇଛି। ଭୂସ୍ଖଳନ ହୋଇଥିବା ଖବର ପାଇବା ପରେ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ସମେତ ଅନ୍ୟ ଅଧିକାରୀ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। କିଛି ସମୟ ମଧ୍ୟରେ ଆଇଟିବିପିର ଯବାନ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ସୂଚନା ରହିଛି।

Comments are closed.