ସ୍କୁଲରେ ଅନୁପସ୍ଥିତ ଶିକ୍ଷକଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର, ୧୯/୧୨: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱ ଦେଇ ଆସୁଅଛି । ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବା ସହ ସମସ୍ତ ବ୍ଲକ୍‌ ଓ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏସବୁ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗ ପକ୍ଷରୁ ଗତ ୧୬ ଓ ୧୭ ତାରିଖ ସେଣ୍ଟ୍ରାଲ ଜୋନ୍‌ର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ପାଇଁ ଦୁଇ ଦିନିଆ କର୍ମଶାଳା ଓ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି ।

ଗତ କର୍ମଶାଳାର ସମୀକ୍ଷା ବୈଠକରୁ ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ ବହୁ ଶିକ୍ଷକ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଛନ୍ତି । ତେଣୁ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ୨୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏତଦ୍‌ବ୍ୟତୀତ ୧୫୪ ଜଣ ପ୍ରାଥମିକ ଶିକ୍ଷକଙ୍କୁ ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ସେହିପରି ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ୯୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ । ଆଗାମୀ ଦିନରେ ଏହି ସମୀକ୍ଷା ପ୍ରକି୍ରୟାକୁ ଅଧିକ ତ୍ୱରାନ୍ୱିତ କରାଯିବା ସହ ଏଭଳି କାର୍ଯ୍ୟ କ୍ଷେତ୍ରରେ ଅବହେଳାକୁ ଉଚିତ ଦଣ୍ଡବିଧାନ କରାଯିବ ।

Leave A Reply

Your email address will not be published.