ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛି ଏମ୍‌ସ୍

୧୪ଟି ଆଇସିୟୁ ସହ ଶିଶୁ ବିଭାଗରେ ୬୦ ଶଯ୍ୟାର ବ୍ୟବସ୍ଥା

ଭୁବନେଶ୍ବର, ୨୪।୮: ଘାରିଛି ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ଚିନ୍ତା। ଏଥିପାଇଁ ଏମ୍‌ସ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଶିଶୁଙ୍କ ପାଇଁ ୧୪ଟି ଆଇସିୟୁ ସହ ଶିଶୁ ବିଭାଗରେ ୬୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏପରିକି କୌଣସି ଶିଶୁ ରୋଗୀଙ୍କ ପାଇଁ ଏକ୍‌ମୋ ଚିକିତ୍ସାର ଆବଶ୍ୟକ ହେଲେ ମଧ୍ୟ ତାର ବ୍ୟବସ୍ଥା କରାଯିବ। ଏଥିପାଇଁ ସ୍ବତନ୍ତ୍ର ଶିଶୁରୋଗ ବିଶେଷଜ୍ଞ ରହିଥିବା ଏମ୍‌ସ ପକ୍ଷରୁ କୁହାଯାଇଛି।

ପ୍ରଥମ ଲହରରେ ଶହେରୁ ଅଧିକ କୋଭିଡ୍‌ ଆକ୍ରାନ୍ତ ନାବାଳକ ଏମ୍‌ସ‌ରେ ଚିକିତ୍ସାଧୀନ ଥିଲେ। ଦ୍ବିତୀୟ ଲହରରେ ପ୍ରାୟ ୫୦ରୁ ୬୦ଜଣ ଚିକିତ୍ସିତ ହୋଇଥିଲେ। ଏହି ସମୟରେ ଅଧିକାଂଶ ଗୃହାବଦ୍ଧାରେ ଚିକିତ୍ସିତ ହେଉଥିଲେ। ଉଭୟ ଲହରରେ ଚିକିତ୍ସାଧୀନ ଅବସ୍ଥାରେ କୋଭିଡ୍‌ରେ କୌଣସି ଶିଶୁଙ୍କ ମୃତ୍ୟୁ ହୋଇନାହିଁ। ତୃତୀୟ ଲହରରେ ସ୍ଥିତି ବଦଳିବା ନେଇ ବିଶେଷଜ୍ଞମାନେ କହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏମ୍ସରେ ଶିଶୁରୋଗ ଚିକିତ୍ସା ପାଇଁ ସ୍ବତନ୍ତ୍ର କମିଟି ଗଠନ, କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌, ଆଡମିସନ୍‌ ପ୍ରୋଟୋକଲ ପ୍ରସ୍ତୁତ ହୋଇଛି। ଗୁରୁତର ସ୍ଥିତିରେ ଶିଶୁଙ୍କ ଚିକିତ୍ସା ପାଇଁ ସେମାନଙ୍କ ପାଇଁ ଥିବା ସ୍ବତନ୍ତ୍ର ଆଇସିୟୁ, ଭେଣ୍ଟିଲେଟର୍‌, ଔଷଧ, ବିଭିନ୍ନ ପ୍ରକାର ପରୀକ୍ଷା ଉପକରଣ, ଟ୍ରାନ୍ସପୋର୍ଟ ବ୍ୟବସ୍ଥା ରହିଛି। ଅପରପକ୍ଷେ ସାଧାରଣ କୋଭିଡ୍‌ ରୋଗୀଙ୍କ ସହ ପରିଜନ ରୁହନ୍ତି ନାହିଁ। ଶିଶୁ କୋଭିଡ୍‌ ଆକ୍ରାନ୍ତଙ୍କ ସହ ତାଙ୍କର ଜଣେ ଅଭିଭାବକ ରହିବାକୁ ମଧ୍ୟ ଅନୁମତି ଦିଆଯିବ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି।

Comments are closed.