୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବ: ମୁଖ୍ୟ ସଚିବ

0

ଭୁବନେଶ୍ବର, ୧୪।୪: ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇଥିବା ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜି ମାଲକାନଗିରି ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ସମୀକ୍ଷା କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ମାଲକାନଗିରିରେ ପ୍ରସ୍ତାବିତ ଏୟାରଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି ଓ ଜଙ୍ଗଲ ଅନୁମତି ମଧ୍ୟ ପ୍ରକଳ୍ପକୁ ମିଳିସାରିଛି। ଏହି ଏୟାରଷ୍ଟ୍ରିପ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରିବେ। ଫଳରେ ୨୦୨୪ ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏଠାରୁ ବିମାନ ସେବା ଉପଲବ୍ଧ ହୋଇପାରିବ ।

ଶ୍ରୀ ମହାପାତ୍ର ଜିଲ୍ଲାର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ ଶେଷ କରିବା ପରେ କ୍ଷେତ୍ର ପରିଦର୍ଶନରେ ଯାଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିଛନ୍ତି । ଶ୍ରୀ ମହାପାତ୍ର ଆସନ୍ତାକାଲି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳ ଓ ମୋଟୁ ବ୍ଲକକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ କୋରାପୁଟରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ସମୀକ୍ଷା ବୈଠକରେ ସଡ଼କ ଯୋଗାଯୋଗ, ପାନୀୟ ଜଳ, କୃଷି, ଉଦ୍ୟାନ କୃଷି, ସାମାଜିକ ସୁରକ୍ଷା ଓ କୃଷିଉଦ୍ୟୋଗକୁ ପ୍ରୋତ୍ସାହନ ଆଦି ପ୍ରସଙ୍ଗ ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି । ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ସହ ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଜିଭିଭି ଶର୍ମା ମଧ୍ୟ ଗସ୍ତ କରିଛନ୍ତି ।

Leave A Reply

Your email address will not be published.