ଜାନୁଆରି ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

0

ଅଯୋଧ୍ୟା, ୨୬/୯: ଅଯୋଧ୍ୟାରେ ନିର୍ମାଣାଧୀନ ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ତଳ ମହଲାର ନିର୍ମାଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଏବଂ ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ମନ୍ଦିରର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର। ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଜାନୁଆରି ୨୦ରୁ ୨୪ ମଧ୍ୟରେ ଯେ କୌଣସି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ’ପ୍ରାଣ ପ୍ରତିଷ୍ଠା’ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ତେବେ, ଏନେଇ ଚୂଡ଼ାନ୍ତ ତାରିଖ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆମକୁ ମିଳିନାହିଁ।

ଜାନୁଆରି ୧୪ରେ ମକର ସଂକ୍ରାନ୍ତି ପରେ ରାମଲଲାଙ୍କ ପୂଜା ପ୍ରକ୍ରିୟା ଆରମ୍ଭ କରିବା ଏବଂ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ୧୦ ଦିନିଆ ରୀତିନୀତି ପାଳନ କରିବାକୁ ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ଅଯୋଧ୍ୟାରେ ରାମଲଲାଙ୍କ ମୂର୍ତ୍ତିରେ ‘ପ୍ରାଣପ୍ରତିଷ୍ଠା’ ପରେ ଜାନୁଆରି ୨୪ରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲିବାର ସମ୍ଭାବନା ରହିଛି ବୋଲି ଟ୍ରଷ୍ଟର ସଦସ୍ୟ ମିଶ୍ର ଜୁନ୍‌ ମାସରେ କହିଥିଲେ। ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ଏହି ସମାରୋହ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିବ। ସେଥିପାଇଁ ଟ୍ରଷ୍ଟ ପକ୍ଷରୁ ଲୋକଙ୍କୁ ନିଜ ଘରୁ (ଟେଲିଭିଜନ ପ୍ରସାରଣ ମାଧ୍ୟମରେ) ଏହା ଦେଖିବାକୁ ଅନୁରୋଧ କରାଯାଇଛି ବୋଲି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ କହିଛନ୍ତି।

ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଜୀ ମହାରାଜ କହିଛନ୍ତି, ଏହା (ରାମ ମନ୍ଦିର) ଦିବ୍ୟ ଓ ଭବ୍ୟ ଏବଂ ସୁନ୍ଦର ଭାବରେ ନିର୍ମିତ ହେଉଛି। ବିଶେଷ କରି ତଳ ମହଲାରେ ଥିବା ‘ଗର୍ଭ ଗୃହ’ ପ୍ରସ୍ତୁତ ହୋଇ ସାରିଛି ଏବଂ ଚିତ୍ରାଙ୍କନ ଚାଲିଛି। ଝରକା ଓ ଗେଟ୍‌ ଲଗାଇବା ବାକି ରହିଛି। ମନ୍ଦିରକୁ ଏପରି ଭାବରେ ନିର୍ମାଣ କରିବାକୁ ଚେଷ୍ଟା ଚାଲିଛି ଯେ ଲୋକମାନେ ଦେଖିପାରିବେ ଯେ ‘ତେତ୍ରା ଯୁଗ’ରେ ଏହା କେମିତି ଥିଲା। ଏହା ତିନି ମହଲା ବିଶିଷ୍ଟ ହେବ ଏବଂ ଶୀର୍ଷରେ ଏକ ଗୁମ୍ବୁଜ ରହିବ ବୋଲି ସେ କହିଛନ୍ତି।

ଏଥିସହ ପ୍ରତିବର୍ଷ ରାମନବମୀ ଦିନ ଗର୍ଭଗୃହରେ ଥିବା ଦେବତାଙ୍କ ମଥାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିବା ପାଇଁ ମନ୍ଦିରର ଶିଖରରେ ଲାଗିଥିବା ଉପକରଣ ପ୍ରସ୍ତୁତ କରିବା ପାଇଁ କାମ ଚାଲିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବେଙ୍ଗାଲୁରୁରେ ଏହାର ନକ୍ସା ପ୍ରସ୍ତୁତି ହୋଇଛି ଏବଂ ଏହାର ଡିଜାଇନ୍‌ ବୈଜ୍ଞାନିକମାନେ ତଦାରଖ କରୁଛନ୍ତି। ସେଣ୍ଟ୍ରାଲ ବିଲ୍‌ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌, ରୁର୍‌କି ଏବଂ ପୁଣେର ଏକ ଅନୁଷ୍ଠାନ ମିଳିତ ଭାବେ ଏଥିପାଇଁ ଏକ କମ୍ପ୍ୟୁଟରୀକୃତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Leave A Reply

Your email address will not be published.